ଚୀନ୍‌ ହଜାରେ କିମିର ସୁଡ଼ଙ୍ଗ କରି ବ୍ରହ୍ମପୁତ୍ରରୁ ପାଣି ଟାଣିବ

ବେଜିଂ: ଭାରତ ସୀମାର ଦକ୍ଷିଣ ତିବ୍ଦତ ଅଞ୍ଚଳରେ ଚୀନ୍‌ ୧୦୦୦ କିମିର ସୁଡ଼ଙ୍ଗ ଖୋଳିବ। ବିଶ୍ୱର ଏହି ଦୀର୍ଘତମ ପ୍ରସ୍ତାବିତ ସୁଡ଼ଙ୍ଗ ଦେଇ ଚୀନ୍‌ ଏହାର ବୃଷ୍ଟିହୀନ ଅଞ୍ଚଳ ଝିଞ୍ଜିଆଂ ଯାଏ ବ୍ରହ୍ମପୁତ୍ର ନଦୀର ଜଳକୁ ହଡ଼ପ କରିନେବ। ଚୀନ୍‌ର ପ୍ରମୁଖ ବୈଜ୍ଞାନିକମାନେ ଏଭଳି ଏକ ପ୍ରସ୍ତାବ ସରକାରଙ୍କୁ ଦେଇଛନ୍ତି। ଫଳରେ ଶୁଷ୍କ ଝିଞ୍ଜିଆଂରେ ଲୋକେ ଜଳକଷ୍ଟରୁ ମୁକ୍ତ ହେବା ସହ ଚାଷୀ ସୁନାର ଫସଲ କମାଇବ ବୋଲି ଚୀନ ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି। ଅପରପକ୍ଷେ, ଭାରତର ପୂର୍ବୋତ୍ତର ରାଜ୍ୟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର କୋଟି କୋଟି ଭାରତବାସୀଙ୍କ ଜୀବନ ଓ ଜୀବିକାର ଉତ୍ସ ପାଲଟିଥିବା ବେଳେ ଏହାଦ୍ୱାରା ସେମାନେ ଭୀଷଣ ଭାବେ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି।
ଏପରି ଦୀର୍ଘ ହଜାରେ କିମି ସୁଡ଼ଙ୍ଗ ଭଳି ଅଭିନବ ଯୋଜନାର ରୂପରେଖ ପ୍ରସ୍ତୁତି ପାଇଁ ୧୦୦ରୁ ଅଧିକ ଚୀନ ବୈଜ୍ଞାନିକ ଗବେଷଣା ଜାରି ରଖିଥିବା ଖବର ହଂକଂ ସ୍ଥିତ ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଅତ୍ୟନ୍ତ ଖର୍ଚ୍ଚବହୁଳ ଏବଂ ଦୁଃସାହସିକ ପ୍ରକଳ୍ପ କରିବାରେ ମାହିର୍‌ ଥିବା ଚୀନ୍‌ ପାଇଁ ଏହି ପ୍ରକଳ୍ପ କଷ୍ଟସାଧ୍ୟ ମନେହେଉଛି। କାରଣ ବର୍ତ୍ତମାନ ଚୀନ୍‌ର ଦୀର୍ଘତମ ସୁଡ଼ଙ୍ଗ ହେଉଛି ଲିଆଓନିଂ ସ୍ଥିତ ଜଳପ୍ରକଳ୍ପ ଯାହାର ଦୈର୍ଘ୍ୟ ମାତ୍ର ୮୫ କିମି। ସେହିପରି ନ୍ୟୁୟର୍କ ସହରର ୧୩୭ କିମି ଜଳଯୋଗାଣ ପ୍ରକଳ୍ପକୁ ବିଶ୍ୱର ଦୀର୍ଘତମ ସୁଡ଼ଙ୍ଗର ମାନ୍ୟତା ମିଳିଛିି। ତଥାପି ଚୀନ ବିଶେଷଜ୍ଞମାନେ ଗତ ମାର୍ଚ୍ଚ ମାସରେ ସରକାରଙ୍କୁ ପ୍ରଦାନ କରିଥିବା ଏହି ପ୍ରସ୍ତାବ ଉପରେ ଚୀନ ସରକାର ଗୁରୁତ୍ୱ ଦେଉଥିବା କୁହାଯାଉଛି। ଏହି ପ୍ରକଳ୍ପକୁ ବ୍ରହ୍ମପୁତ୍ରର ତଳମୁଣ୍ଡରେ ଥିବା ଭାରତ ଏବଂ ବାଂଳାଦେଶ ଦୃଢ଼ ଭାବରେ ବିରୋଧ କରିବେ ବୋଲି ମଧ୍ୟ ଚୀନ୍‌ ପ୍ରଶାସନ ହୃଦୟଙ୍ଗମ କରୁଛି। ତଥାପି ଯେ କୌଣସି ସ୍ଥିତିରେ ଏହାକୁ ଆଗେଇନେବା ପାଇଁ ମନସ୍ଥ କରୁଥିବା କୁହାଯାଉଛି। କାରଣ ନଦୀବନ୍ଧ ଯୋଜନା ଅପେକ୍ଷା ଏପରି ସୁଡ଼ଙ୍ଗ ନିର୍ମାଣ କଲେ ପରିବେଶ ସଂକ୍ରାନ୍ତ କୌଣସି ଝାମେଲା ରହିବନି କି ଅନ୍ୟ କୌଣସି ଦେଶ ଆଙ୍ଗୁଠି ଉଠାଇ ପାରିବନି ବୋଲି ଚୀନ୍‌ର ବୈଜ୍ଞାନିକମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର