ପ୍ରଥମ ଥର ପାଇଁ ଭାରତୀୟ ବନ୍ଦରରେ ଆମେରିକାର ନୌସେନା ଜାହାଜ

ଚେନ୍ନାଇ: ରବିବାର ଦିନ ଚେନ୍ନାଇର କାଟୁପାଲ୍ଲୀ ଜାହାଜ କାରଖାନାରେ ଆମେରିକାର ଏକ ଜାହାଜ ପହଞ୍ଚିଛି। ପ୍ରଥମ ଥର ପାଇଁ ଆମେରିକାର କୌଣସି ନୌସେନା ଜାହାଜ ମରାମତି ଓ ଅନ୍ୟାନ୍ୟ ସେବା ପାଇଁ ଭାରତର ବନ୍ଦରରେ ରହିଛି। ଏହା ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ଚୁକ୍ତିର ଏକ ଅଂଶ । ସୂଚନାନୁସାରେ ଏହି ଜାହାଜଟି ‘ଲାରସେନ୍ ଏବଂ ଟୁବ୍ରୋ’ ର ଜାହାଜ କାରଖାନାରେ ପହଞ୍ଚିଛି ଏବଂ ଏହି ଜାହାଜ ଏଠାରେ ୧୧ ଦିନ ରହିବ ।

ଭାରତ ଏବଂ ଆମେରିକାର ଏହି ବନ୍ଧୁତା ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି କାରଣ ପୂର୍ବ ଲଦାଖ ଉପରେ ଭାରତ ଓ ଚୀନ୍ ଦୁଇ ବର୍ଷ ଧରି ମୁହାଁମୁହିଁ ହୋଇରହିଛନ୍ତି । ସେପଟେ ଚାଇନା ମଧ୍ୟ ତାଇୱାନକୁ ନେଇ ଆମେରିକା ଉପରେ ଅସନ୍ତୋଷ ପ୍ରକାଶ କରିଛି। ଏଭଳି ପରିସ୍ଥିତିରେ ଆମେରିକା ଏବଂ ଭାରତ ମଧ୍ୟରେ ଏହି ବନ୍ଧୁତା ଚୀନ୍ ପାଇଁ ଆଉ ଏକ ବଡ଼ ଝଟକା ହୋଇପାରେ।

ଏହାକୁ ମେକ୍ ଇନ୍ ଇଣ୍ଡିଆ ପାଇଁ ଉତ୍ସାହଜନକ ବୋଲି କହି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ପଦକ୍ଷେପ ଭାରତ-ଆମେରିକାର ରଣନୀତିକ ଭାଗିଦାରୀରେ ଏକ ନୂତନ ଦିଗ ଯୋଡିଛି। ଏହି ଜାହାଜ ଭାରତ-ପ୍ରଶାନ୍ତ ମହାସାଗରରେ ଯୁଦ୍ଧ ଜାହାଜ କାର୍ଯ୍ୟରେ ଆମେରିକାର ନୌସେନାକୁ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇଥାଏ । ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଆମେରିକା ନୌସେନାର ଏକ ଜାହାଜ ମରାମତି ପାଇଁ ଭାରତରେ ପହଞ୍ଚିଛି। ଆମେରିକାର ନୌସେନା ଚେନ୍ନାଇ ସ୍ଥିତ କଟୁପାଲ୍ଲୀରେ ଥିବା ଏଲ୍ ଆଣ୍ଡ ଟି ର ଜାହାଜ କାରଖାନାକୁ ରକ୍ଷଣାବେକ୍ଷଣ ପାଇଁ ଚୁକ୍ତିନାମା ପ୍ରଦାନ କରିଥିଲା।

ପ୍ରତିରକ୍ଷା ସଚିବ ଅଜୟ କୁମାର, ନୌସେନା କର୍ମଚାରୀଙ୍କ ଉପାଧ୍ୟକ୍ଷ ଏସ୍.ଏନ ଘୋର୍ମାଡେ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଜାହାଜର ପରିଦର୍ଶନ କରିଥିଲେ । ଯେଉଁଥିରେ ଦିଲ୍ଲୀରେ ଥିବା ଆମେରିକା ଦୂତାବାସର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି, ଆମେରିକାର ନୌସେନା ଜାହାଜ ଚାର୍ଲ୍ସ ଡ୍ରୁକୁ ଭାରତରେ ସ୍ୱାଗତ କରି ଆମେ ଆନନ୍ଦିତ। ଭାରତ ଏବଂ ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀକୁ ଆଗେଇ ନେବାରେ ଭାରତର ପଦକ୍ଷେପ ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ।

ସମ୍ବନ୍ଧିତ ଖବର