ସଂସଦରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି: ଚୀନ୍‌କୁ ପାକିସ୍ତାନ ଟେକିଦେଇଛି, ପିଓକେର ୫୧୮୦ ବର୍ଗ କିମି

ଚୀନ୍‌ ଦଖଲରେ ଭାରତର ୩୮ ହଜାର ବର୍ଗ କିମି, ଗଲୱାନ ସଂଘର୍ଷରେ ଚୀନ୍‌ର ବହୁ ସୈନ୍ୟ ମରିଛନ୍ତି

ନୂଆଦିଲ୍ଲୀ: ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ଗତ କିଛିମାସ ହେଲା ଦେଖାଦେଇଥିବା ଉତ୍ତେଜନା ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବିବୃତି ରଖିଛନ୍ତି। ସଂସଦ ମାଧ୍ୟମରେ ଦେଶବାସୀଙ୍କୁ ସେ ଅବଗତ କରାଇଛନ୍ତି ଯେ, ଲଦାଖରେ ଚୀନ ସେନା ସହିତ ବର୍ତ୍ତମାନ ଉପୁଜିଥିବା ମୁହାଁମୁହିଁ ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ସ୍ଥିତାବସ୍ଥାରେ ପରିବର୍ତ୍ତନ ପାଇଁ ଚୀନର କୌଣସି ପ୍ରକାର ଏକପାଖିଆ ଉଦ୍ୟମ ଭାରତ ପକ୍ଷେ ଗ୍ରହଣଯୋଗ୍ୟ ନୁହେଁ ବୋଲି ରାଜନାଥ ସ୍ପଷ୍ଟ କରିଦେଇଛନ୍ତି। ଲୋକସଭାରେ ବିବୃତି ରଖି ରାଜନାଥ କହିଛନ୍ତି, ଗତ ଜୁନ ୧୫ ତାରିଖରେ ଗଲୱାନ ଉପତ୍ୟକାରେ ଦୁଇ ସେନା ମଧ୍ୟରେ ଯେଉଁ ସଂଘର୍ଷ ହୋଇଥିଲା ସେଥିରେ ଭାରତର ବୀର ଯବାନମାନେ ଚୀନ ସେନାର ବିପୁଳ କ୍ଷତି କରିଛନ୍ତି। ଏଥିରେ ଚୀନର ବହୁସଂଖ୍ୟକ ସୈନିକ ନିହତ ହୋଇଥିବା ମଧ୍ୟ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି।

ଗତ ଏପ୍ରିଲରୁ ଚୀନ ସେନା ପୂର୍ବ ଲଦାଖର ସୀମାନ୍ତ ଅଞ୍ଚଳରେ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ମୁତୟନ କରିବା ନଜରକୁ ଆସିଥିଲା। ମେ’ ମାସର ପ୍ରଥମାର୍ଦ୍ଧରେ ଗଲୱାନ ଉପତ୍ୟକା ଅଞ୍ଚଳରେ ଭାରତୀୟ ସେନାର ନିୟମିତ ପାଟ୍ରୋଲିଂ ପ୍ରତି ଚୀନ ସେନା ପ୍ରତିବନ୍ଧକ ସୃଷ୍ଟି କରିଥିଲା। ଏଥିଯୋଗୁଁ ଦୁଇ ସେନା ମୁହାଁମୁହିଁ ପରିସ୍ଥିତିକୁ ଆସିଯାଇଥିଲେ। ଦୁଇ ଦେଶ ମଧ୍ୟରେ ଥିବା ରାଜିନାମା ଓ ପ୍ରୋଟୋ‌କଲ ଆଧାରରେ ତୃଣମୂଳ ସ୍ତରରେ କମାଣ୍ଡର ସ୍ତରୀୟ ଆଲୋଚନା କରାଯାଇ ପରିସ୍ଥିତିର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ମେ’ ମଧ୍ୟଭାଗ ବେଳକୁ ଚୀନ ସେନା ଏଲ୍‌ଏସିର ୱେଷ୍ଟର୍ଣ୍ଟ ସେକ୍ଟରର ଅନେକ ସ୍ଥାନରେ ଭାରତ ଭିତରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ସେହି ସ୍ଥାନଗୁଡ଼ିକ ମଧ୍ୟରେ କଙ୍ଗକା ଲା, ଗୋଗ୍ରା ଏବଂ ପାଙ୍ଗଙ୍ଗ ହ୍ରଦର ଉତ୍ତର ପାର୍ଶ୍ବ ରହିଛି। ଚୀନ ସେନାର ଏଭଳି ଉଦ୍ୟମକୁ ଭାରତୀୟ ସେନା ଜାଣିପାରି ଠିକଣା ଜବାବ ଦେଇଥିଲା।

କୂଟନୈତିକ ଓ ସାମରିକ ମାଧ୍ୟମରେ ଚୀନକୁ ମଧ୍ୟ ଏ ସଂପର୍କରେ ସୂଚନା ଦିଆଯାଇଛି। ଏସବୁ ପଦକ୍ଷେପ ଦ୍ବାରା ଚୀନ ଏକପାଖିଆ ଭାବେ ସ୍ଥିତାବସ୍ଥାରେ ପରିବର୍ତ୍ତନ ପାଇଁ ଉଦ୍ୟମ କରିଛି। ଚୀନର ଏହି ଉଦ୍ୟମ କୌଣସି ମତେ ଗ୍ରହଣୀୟ ନୁହେଁ ବୋଲି ପଡୋଶୀ ଦେଶକୁ ସ୍ପଷ୍ଟଭାବେ ଜଣାଇ ଦିଆଯାଇଛି ବୋଲି ରାଜନାଥ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଚୀନ ବେଆଇନ ଭାବେ ଲଦାଖର ୩୮ ହଜାର ବର୍ଗ କିମି ଜମି ଦଖଲରେ ରଖିଛି। କେବଳ ଲଦାଖ ନୁହେଁ, ଅରୁଣାଚଳ ପ୍ରଦେଶରେ ୯୦ ହଜାର କିମି ଜମିକୁ ଚୀନ ନିଜର ବୋଲି ବିବେଚନା କରୁଛି। ୧୯୬୩ ମସିହାର ଚୀନ-ପାକିସ୍ତାନ ସୀମା ରାଜିନାମା ଅଧୀନରେ ପିଓକେର ୫୧୮୦ ବର୍ଗ କିମି ଅଞ୍ଚଳକୁ ପାକିସ୍ତାନ ବେଆଇନ ଭାବେ ଚୀନକୁ ଟେକିଦେଇଛି। ଦୁଇ ଦେଶ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ସ୍ପଷ୍ଟ ଭାବେ ଚିତ୍ରିତ ହୋଇ ନଥିବାରୁ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଦୁଇ ଦେଶ ମଧ୍ୟରେ ଏକାଧିକ ରାଜିନାମା ସ୍ବାକ୍ଷରିତ ହୋଇଛି। ଏହା ସତ୍ତ୍ବେ ନିକଟରେ ସୀମାରେ ଉତ୍ତେଜନା ଦେଖାଦେଇଛି। ଭାରତୀୟ ସେନା ଆବଶ୍ୟକ ସ୍ଥଳେ ସଂଯମତା ଅବଲମ୍ବନ କରିଥିବାବେଳେ ଦରକାର ବେଳେ ଦେଶର ଅଖଣ୍ଡତା ପାଇଁ ମଧ୍ୟ ପରାକ୍ରମ ଦେଖାଇଛି ବୋଲି ରାଜନାଥ କହିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ସୀମା ବିବାଦ ଉପରେ ସଂସଦରେ ତଥ୍ୟ ଉପସ୍ଥାପନ କରିବା ପରେ କଂଗ୍ରେସ ସଦସ୍ୟମାନେ ଏ ନେଇ କିଛି କହିବାକୁ ଚାହିଁଥିଲେ। କିନ୍ତୁ ବାଚସ୍ପତି ଓମ୍ ବିର୍ଲା ଏଥିପାଇଁ ଅନୁମତି ନଦେବାରୁ ପ୍ରତିବାଦରେ ସେମାନେ କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର