ଚୀନର ଚିନ୍ତା, ଭାରତୀୟ ସୈନ୍ୟମାନେ ଚୀନ ଭାଷା ଶିଖୁଛନ୍ତି

ନୂଆଦିଲ୍ଲୀ: ଭାରତୀୟ ସୈନିକମାନେ ଚୀନ ଭାଷା (ମାଣ୍ଡାରିନ) ଶିଖୁଥିବାରୁ ଚୀନର ଚିନ୍ତା ବଢିଯାଇଛି । ଭାରତୀୟ ସୈନିକମାନେ ଚୀନ ଭାଷା ବୁଝିପାରିଲେ ତାହା ଭାରତକୁ ଚୀନଠାରୁ ଗୋଟିଏ ପାଦ ଆଗରେ ରଖିବ । କାରଣ ଭାରତୀୟ ସେନା ମୋବାଇଲ ଇଣ୍ଟରସେପ୍ଟ କରି ଚୀନ ସେନାର କଥାବାର୍ତ୍ତା ଶୁଣିପାରିବ ଓ ସେମାନଙ୍କ ଯୋଜନା ସଂପର୍କରେ ଜାଣିପାରିବ ବୋଲି ଚୀନର ସୁରକ୍ଷା ବିଶେଷଜ୍ଞ ଆଶଙ୍କା କରିଛନ୍ତି ।

ଗତ ସପ୍ତାହରେ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଇଣ୍ଡୋ ତିବ୍ଦତିଆନ ବର୍ଡର ପୁଲିସ (ଆଇଟିବିପି)ର ଏକ ୨୫ ଜଣିଆ ଦଳକୁ ମଧ୍ୟପ୍ରଦେଶରେ ଥିବା ସାଞ୍ଚି ଇନଷ୍ଟିଚ୍ୟୁଟ୍‌ ଅପ ବୁଦ୍ଧିଷ୍ଟ ଇଣ୍ଡିକ୍‌ ଷ୍ଟଡିଜ୍‌ ରେ ଏକ ବର୍ଷିକିଆ ଚୀନ ଭାଷା ଶିକ୍ଷା ପାଠ୍ୟକ୍ରମ ଲାଗି ପଠାଯାଇଛି । ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହା ଦ୍ୱାରା ସୀମାରେ ଦୁଇଦେଶର ସୈନିକ ମାନଙ୍କ ମଧ୍ୟରେ ସୁସଂପର୍କ ସ୍ଥାପିତ ହୋଇପାରିବ ଓ ବିଭ୍ରାନ୍ତି ଦୂର ହୋଇପାରିବ । କିନ୍ତୁ ଚୀନର ସୁରକ୍ଷା ବିଶେଷଜ୍ଞମାନେ ଏହାକୁ ସଂଦେହ ଦୃଷ୍ଟିରେ ଦେଖୁଛନ୍ତି । ଶାନ୍ତି ସମୟରେ ଏହା ସଂପର୍କ ବୃଦ୍ଧିରେ ସହାୟକ ହେବ, କିନ୍ତୁ ଯୁଦ୍ଧ ସମୟରେ ଏହା ଭାରତ ହାତରେ ଏକ ଭଲ ଅସ୍ତ୍ରସଦୃଶ ହେବ । କାରଣ ଭାରତୀୟ ସେନା ରେଡିଓ ଇଣ୍ଟରସେପ୍ଟ କରି ଚୀନ ସେନାର ସବୁ ଯୋଜନା, ରଣକୌଶଳ ସଂପର୍କରେ ଜାଣିପାରିବେ । ଚୀନର ସାମରିକ ବିଶେଷଜ୍ଞ ସୋଙ୍ଗ୍‌ ଜଙ୍ଗପିଙ୍ଗ କହିଛନ୍ତି ଯେ ଏହି କୌଶଳକୁ ବ୍ୟବହାର କରି ଭାରତ ଚୀନର ସୀମାକୁ ଅକ୍ତିଆର କରିବା ଅସମ୍ଭବ ନୁହେଁ ।

ସମ୍ବନ୍ଧିତ ଖବର