ନୂଆଦିଲ୍ଲୀ: କଶ୍ମୀର ମାମଲାରେ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ବଡ଼ କୂଟନୈତିକ ବିଜୟ ପାକିସ୍ତାନର ମୁଖା ଖୋଲି ଦେଇଛି ଏବଂ ଭାରତକୁ ଅଡ଼ୁଆରେ ପକାଇବାକୁ ପ୍ରୟାସ ଚଳାଇଥିବା ଚୀନ୍‌ର ସବୁ ଚାଲ୍‌ ପଣ୍ଡ ହୋଇଯାଇଛି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ଦେଉଥିବା ଧାରା ୩୭୦କୁ ହଟାଯିବା ନେଇ ଗତକାଲି ଜାତିସଂଘ ନିରାପତ୍ତା ପରିଷଦର ରୁଦ୍ଧଦ୍ବାର ବୈଠକରେ ଚୀନ୍‌ର ସବୁ ଚାଲ୍‌କୁ ରୁଷ୍‌ ଭଣ୍ଡୁର କରିଦେଇଥିଲା। ଚୀନ୍‌ର ଭାରତ ବିରୋଧୀ ରଣନୀତି ସଂପର୍କରେ ଆଗୁଆ ସଙ୍କେତ ମିଳିଯିବାରୁ ଭାରତ ଏହାର ମୁକାବିଲା ପାଇଁ ବ୍ୟାପକ କୂଟନୈତିକ କସରତ ଜାରି ରଖିଥିଲା। ଫଳରେ ନିରାପତ୍ତା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ୪ ସଦସ୍ୟ ରାଷ୍ଟ୍ର ବ୍ରିଟେନ୍‌, ରୁଷ୍‌, ଫ୍ରାନ୍ସ ଏବଂ ଆମେରିକା କଶ୍ମୀର ମାମଲାରେ ଭାରତର ଆଭିମୁଖ୍ୟକୁ ସମର୍ଥନ କରିଥିଲେ। ଏହା ବ୍ୟତୀତ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ୧୦ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୮ଟି ରାଷ୍ଟ୍ର ଭାରତ ସମର୍ଥନରେ ମତ ରଖିବା ସହ କଶ୍ମୀରରେ ପାକିସ୍ତାନ ଚଳାଇଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଭର୍ତ୍ସନା କରିଥିଲେ। ବିଶ୍ବର ସମସ୍ତ ମହାଶକ୍ତି କଶ୍ମୀର ମାମଲାରେ ଭାରତକୁ ସମର୍ଥନ କରିବା ଦେଖି ଚୀନ୍‌ ବିଚଳିତ ହୋଇଉଠିଥିଲା ଏବଂ ଯେନତେନ ପ୍ରକାରେ ଭାରତ ବିରୋଧରେ ଏକ ପ୍ରସ୍ତାବ ଆଣିବାକୁ ଚାହୁଥିଲା। କିନ୍ତୁ ରୁଷ୍‌ର ଭାରତ ସପକ୍ଷରେ ଦୃଢ଼ ଯୁକ୍ତି ଏବଂ ଅନ୍ୟ ରାଷ୍ଟ୍ରମାନଙ୍କର ଭାରତ ପ୍ରତି ସମର୍ଥନ ଘୋଷଣା ପରେ ଚୀନ୍‌ର ସବୁ ଯୋଜନା ଭଣ୍ଡୁର ହୋଇଯାଇଥିଲା।