ଏଲଏସିରେ ପୁଣି ସୈନ୍ୟ ଠୁଳ କରିଚାଲିଛି ଚୀନ, ଚିନ୍ତା ପ୍ରକଟ କଲା ଭାରତ

ନୂଆଦିଲ୍ଲୀ : ଚଳିତ ମାସରେ ଗଲଓ୍ବାନ ସଂଘର୍ଷର ଏକ ବର୍ଷ ପୂରଣ ହୋଇଛି । ଏହି ଏକ ବର୍ଷରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଓ ଚୀନ ମଧ୍ୟରେ ଏକାଧିକ ଥର ଆଲୋଚନା ହୋଇଛି ଓ ଫଳସ୍ବରୂପ ଉଭୟ ସେନା କିଛି ବାଟ ପଛକୁ ହଟିଛନ୍ତି । କିନ୍ତୁ ଏବେ ପୁଣିଥରେ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ସୈନ୍ୟ ଓ ସାମରିକ ଉପକରଣ ଠୁଳ କରିବାରେ ଲାଗିଛି । ଫଳରେ ଏଲଏସିରେ ପୁଣି ଥରେ ଉତ୍ତେଜନା ବଢିବାର ଆଶଙ୍କା ସୃଷ୍ଟି ହୋଇଛି ।

ଗୋଟିଏ ପଟେ ଚୀନ ସେନା ଠୁଳ କରିଚାଲିଥିବାବେଳେ ଅନ୍ୟପଟେ ଉତ୍ତେଜନା ପାଇଁ ଭାରତକୁ ଦାୟୀ କରୁଛି । ଭାରତର ନୀତି ହିଁ ଉତ୍ତେଜନା ବୃଦ୍ଧି ପାଇଁ ଦାୟୀ ବୋଲି ବେଜିଂ କହୁଛି । ଅନ୍ୟପକ୍ଷରେ ଚୀନକୁ ଜବାବ ଦେଇ ଗୁରୁବାରଦିନ ଭାରତ କହିଛି ଯେ ସୀମାରେ ସେନା ଠୁଳ କରି ଚୀନ ସ୍ଥିତାବସ୍ଥାକୁ ଭାଙ୍ଗିବାକୁ ଚାହୁଁଛି ।

ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ସୀମାରେ ସେନା ଠୁଳ କରି ଚୀନ ସ୍ଥିତାବସ୍ଥାକୁ ଭାଙ୍ଗିବାକୁ ଚାହୁଁଛି । ଏହା ହିଁ ସୀମାରେ ସୃଷ୍ଟି ହୋଇଥିବାର ଉତ୍ତେଜନା କାରଣ । ଚୀନର ଏହି କାର୍ଯ୍ୟ ପୂର୍ବରୁ ହୋଇଥିବା ଏକାଧିକ ଦ୍ବିପାକ୍ଷିକ ରାଜିନାମାକୁ ଉଲ୍ଲଙ୍ଘନ କରୁଛି ।

ସମ୍ବନ୍ଧିତ ଖବର