ନୂଆଦିଲ୍ଲୀ: ଜାତିସଂଘରେ ଚୀନ୍ର ଭାରତ ବିରୋଧୀ ଷଡ଼ଯନ୍ତ୍ରକୁ ଜର୍ମାନୀ ଏବଂ ଆମେରିକା ପଣ୍ଡ କରିଦେଇଛନ୍ତି। ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଭାରତକୁ ଦାୟୀ କରିଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେଶି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଷ୍ଟକ୍ ଏକ୍ସଚେଞ୍ଜ୍ରେ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଥିଲେ। ତେବେ ଚୀନ୍ ମଧ୍ୟ ଏନେଇ ଜାତିସଂଘରେ ଭାରତ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଆଣିଥିଲା। କରାଚି ଷ୍ଟକ୍ ଏକ୍ସଚେଞ୍ଜ୍ରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ଏନେଇ ପାକିସ୍ତାନ ସରକାରଙ୍କୁ ସମର୍ଥନ ଏବଂ ଏଭଳି ଆକ୍ରମଣ ପାଇଁ ଯିଏ ଦାୟୀ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚୀନ୍ ପ୍ରସ୍ତାବ ରଖିଥିଲା।
ସମସ୍ତ ରାଷ୍ଟ୍ରମାନେ ଏଦିଗରେ ପାକିସ୍ତାନ ସରକାରଙ୍କୁ ସମର୍ଥନ କରିବାପାଇଁ ଚୀନ୍ ପ୍ରସ୍ତାବ ରଖିଥିଲା। ଚୀନ୍ ମଙ୍ଗଳବାର ଦିନ ଏହି ପ୍ରସ୍ତାବ ଜାତିସଂଘରେ ଆଗତ କରିଥିଲା। ତେବେ ଏ ବାବଦ ପ୍ରକ୍ରିୟା ଅଧିନରେ ନିଧାର୍ଯ୍ୟ ସମୟ ମଧ୍ୟରେ ଯଦି ପ୍ରସ୍ତାବକୁ କୌଣସି ବିରୋଧ କରାନଯାଏ ତେବେ ଏହା ପାରିତ ହୋଇଯାଏ। କିନ୍ତୁ ଶେଷ ମୁହୁର୍ତ୍ତରେ ଜର୍ମାନୀ ଚୀନ୍ର ଏହି ଚାଲ୍କୁ ଅଟକାଇ ଦେଲା। ପାକ୍ ବିଦେଶ ମନ୍ତ୍ରୀ କୁରେଶି ଭାରତକୁ ଆକ୍ରମଣ ପାଇଁ ଦାୟୀ କରିବା କଦାପି ଗ୍ରହଣୀୟ ହୋଇପାରିବ ନାହିଁ ବୋଲି ଜର୍ମାନୀ କହିଛି। ଚୀନ୍ ଯେଉଁ ପ୍ରସ୍ତାବ ଆଣିଥିଲା ତା’ଉପରେ ଜର୍ମାନୀ ରୋକ୍ ଲଗାଇ ଦେଇଛି। ସେହିପରି ଆମେରିକା ମଧ୍ୟ ଶେଷ ମୁହୂର୍ତ୍ତରେ ଏଥିରେ ହସ୍ତକ୍ଷେପ କରିବାରୁ ଚୀନ୍ର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି।। ଭାରତ ବିରୋଧରେ ଚୀନ୍ ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଥିବାରୁ ଏହା ଭାରତ ପାଇଁ ଏକ ବଡ଼ କୂଟନୀତିକ ବିଜୟ ବୋଲି କୁହାଯାଇଛି।