ଗଲୱାନ୍‌ ଦଖଲ ପାଇଁ ଚୀନ୍‌ର ଷଡ଼ଯନ୍ତ୍ର, ୪ ଦଶନ୍ଧି ପରେ ପ୍ରଥମ ମୃତ୍ୟୁ

ଶେଷ ଥର ପାଇଁ ଉଭୟ ପକ୍ଷ ମଧ୍ୟରେ ୧୯୬୭ରେ ଗୁଳି ବିନିମୟ ହୋଇଥିଲା

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ରେ ଭାରତ ଏବଂ ଚୀନ୍‌ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଛି। ୩୫୦୦ କିମି ଲମ୍ବ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଂଚଳରେ ଭାରତ ଏବେ ସୁରକ୍ଷା କଡ଼ାକଡ଼ି କରିଛି । ଗଲୱାନ ଘଟିରେ ସେନା ବାହିନୀ ପଛକୁ ହଟିବା ପ୍ରକ୍ରିୟା ଚାଲିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତ ୩ ଜଣ ଯବାନଙ୍କୁ ହରାଇଛି ଏବଂ ଏହି ଘଟଣା ସୀମା ବିବାଦକୁ ଏକ ଭିନ୍ନ ମୋଡ଼ ଦେଇଛି। କମାଣ୍ଡର ଜେନେରାଲସ୍ତରରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଦୁଇ ଦେଶ ସଂପୂର୍ଣ୍ଣ ସହମତି ପ୍ରକାଶ କରିବା ପରେ ଉତ୍ତେଜନା ହ୍ରାସ ପାଇଥିଲା। ତେବେ ଅଚାନକ ଗତ ରାତିରେ ଚୀନ୍‌ର ଯୋଜନାବଦ୍ଧ ଆକ୍ରମଣ ସବୁକିଛି ଓଲଟପାଲଟ କରିଦେଇଛି। ଲଦାଖ୍‌ ସୀମରେ ଭାରତର ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଆସୁଥିବା ଚୀନ୍‌ ଅନ୍ୟ କୌଣସି ଉପାୟ ନପାଇ ଏବେ ଷଡ଼ଯନ୍ତ୍ରପୂର୍ଣ୍ଣ ଭାବେ କେବଳ ଉତ୍ତେଜନା ବଢ଼ାଇବା ପାଇଁ ଗୋଟିଏ ପରେ ଗୋଟିଏ ଅନର୍ଥ କରିଚାଲିଛି। ଲଦାଖ୍‌ ଏବେ କେନ୍ଦ୍ର ଶାସିତ ଅଂଚଳ ହୋଇଛି ଏବଂ ନୂଆ ମାନଚିତ୍ରରେ ଅକ୍‌ସାଇ ଚୀନ୍‌କୁ ମଧ୍ୟ ସ୍ପଷ୍ଟ ଭାବେ ଦର୍ଶାଯାଇଛି । ଚୀନ୍‌ ଏହାକୁ ବିରୋଧ କରି ମେ ଆରମ୍ଭରେ ସୃଷ୍ଟି କରିଥିବା ଉତ୍ତେଜନା ଏବେ ବଡ଼ ସଂଘର୍ଷର ରୂପ ନେବାକୁ ଯାଉଛି। ତେବେ ଉତ୍ତେଜନା ହ୍ରାସ ପାଇଁ ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଆଲୋଚନାର ଫଳାଫଳ ଉପରେ ଅନେକ କିଛି ନିର୍ଭର କରୁଛି। ଅନ୍ୟପକ୍ଷରେ ଚୀନ୍‌ ସେନାର ବରିଷ୍ଠ ଅଧିକାରୀମାନେ ଆଜି କହିଛନ୍ତି ଯେ ଗଲୱାନ ଘାଟି ସଂପୂର୍ଣ୍ଣ ଭାବେ ଚୀନ୍‌ର ଏବେ ଏଠାରେ ଭାରତର ଉପସ୍ଥିତି ବେଆଇନ। ତେଣୁ ଗଲୱାନରୁ ସେନା ପ୍ରତ୍ୟାହାର ନକରିବା ପାଇଁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରି ଚୀନ୍‌ ସେନା ଗତରାତିରେ ଭାରତୀୟ ଯବାନଙ୍କ ଉପରେ ଆକ୍ରଣ କରିଥିବା ସ୍ପଷ୍ଟ ହୋଇଯାଇଛି। ତେବେ ଗଲୱାନ୍‌ରେ ଭାରତୀୟ ସେନା ଇଞ୍ଚେ ମଧ୍ୟ ପଛକୁ ହଟିବାର ପ୍ରଶ୍ନ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି।

ମେ ମାସ ଆରମ୍ଭ ଆରମ୍ଭରେ ଚୀନ୍‌ ସେନା ପୂର୍ବ ଲଦାଖ୍‌ରେ ଅତିକ୍ରମଣ କରିଥିଲେ ଏବଂ ଗଲୱାନ୍‌ ଘାଟିରେ ଭାରତୀୟ ଯବାନଙ୍କ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଏହାର ଜବାବରେ ଭାରତ ସେନା ମୁତୟନ ବଢ଼ାଇଥିଲା। ପୂର୍ବ ଲଦାଖ୍‌ରେ ପୋଙ୍ଗୋଙ୍ଗ୍‌ ହ୍ରଦ ନିକଟରେ ମଧ୍ୟ ଚୀନ୍‌ ଅତିକ୍ରମଣ ପାଇଁ ପ୍ରୟାସ କରିବାରୁ ସେଠାରେ ଭାରତୀୟ ସେନା କଡ଼ା ସୁରକ୍ଷା ପଦକ୍ଷେପ ଗ୍ରହଣ କରିଥିଲା। ପୂର୍ବ ଲଦାଖ୍‌ରେ ମେ ୫ ତାରିଖ ଦିନ ଭାରତ ଏବଂ ଚୀନ୍‌ ସେନା ମଧ୍ୟରେ ପ୍ରଥମ ଥର ପାଇଁ ସଂଘର୍ଷ ହୋଇଥିଲା। ଏହାପରେ ସେନା ଏବଂ ଭାରୀ ଯୁଦ୍ଧାସ୍ତ୍ର ମୁତୟନ ଉଭୟ ପଟୁ ଆରମ୍ଭ ହୋଇଥିଲା। ଦିନକୁ ଦିନ ଉତ୍ତେଜନା ବଢ଼ିବାରୁ ସୀମାରେ ଶାନ୍ତି ଫେରାଇ ଆଣିବାକୁ ଉଚ୍ଚସ୍ତରୀୟ ସାମରିକ ଆଲୋଚନା ଆରମ୍ଭ ହୋଇଥିଲା। ୬ ଜୁନ୍‌ରେ ଗଲୱାନ୍‌ ଘାଟିରେ କମାଣ୍ଡରସ୍ତରୀ ଆଲୋଚନା ସଫଳ ହେବା ପରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା। ତେବେ ସୋମବାର ରାତିରେ ଚୀନ୍‌ ସେନାର ଅଚାନକ ଆକ୍ରମଣ ଯୋଗୁଁ ଏବେ ଯୁଦ୍ଧ ଭଳି ଉତ୍ତେଜନା ସୃଷ୍ଟି କରିଛି।

୪ ଦଶନ୍ଧି ପରେ ପ୍ରଥମ ମୃତ୍ୟୁ
ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମା ବିବାଦ ଆଜି ଅତି ଭୟଙ୍କର ରୂପ ନେଇଛି। ଦେଶ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ସୀମାରେ ଭାରତ-ଚୀନ୍‌ ସେନା ଯେଭଳି ମୁହାଁମୁହିଁ ସ୍ଥିତିରେ ରହିଛନ୍ତି ତାହା ଚିନ୍ତା ବଢ଼ାଇଛି। ଆଜି ଭାରତୀୟ ସେନାର ଜଣେ ଅଫିସର୍‌ଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଛନ୍ତି। ତେବେ ପ୍ରାୟ ୪୪ ବର୍ଷ ପରେ ଭାରତ-ଚୀନ୍‌ ସୈନିକଙ୍କ ମଧ୍ୟରେ ସଂଘର୍ଷ ‌ଯୋଗୁଁ ଏହା ପ୍ରଥମ ମୃତ୍ୟୁ। ଗତରାତିରେ ଭାରତୀୟ ସେନାର ୨ ଯବାନ ଏବଂ ଜଣେ କର୍ନେଲ୍‌ ସହିଦ ହୋଇଛନ୍ତି। ଦୀର୍ଘ ୫୩ ବର୍ଷ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ଫୁଟିନଥିଲା। ଶେଷ ଥରପାଇଁ ୧୯୬୭ରେ ସିକ୍କିମ୍‌ ସୀମାରେ ଭାରତ-ଚୀନ୍‌ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ୧୯୭୫ରେ ସିକ୍କିମ୍‌ରେ ଚୀନ୍‌ ସେନା ଗୁଳିମାଡ଼ରେ ୪ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ। ତେବେ ଏହା ଦୁର୍ଘଟଣା ବଶତଃ ହୋଇଥିଲା ବୋଲି କୁହାଯାଇଥିଲା। ୧୯୬୭ ପୂର୍ବରୁ ୧୯୬୨ରେ ଭାରତ-ଚୀନ୍‌ ଯୁଦ୍ଧ ହୋଇଥିଲା। ଗଲ୍‌ୱାନ୍‌ ନଦୀ ନିକଟରେ ଉଭୟ ଭାରତ-ଚୀନ୍‌ ସେନା ଏବେ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଏହି ଗଲ୍‌ୱନ୍‌ ପାଇଁ ହିଁ ଭାରତ -ଚୀନ୍‌ ଯୁଦ୍ଧ ହୋଇଥିଲା।

ସମ୍ବନ୍ଧିତ ଖବର