ଚୀନ୍‌ରେ ‘ସାର୍ସ’କୁ ଟପିଲା ‘କରୋନାଭାଇରସ୍‌’; ମୃତ୍ୟୁସଂଖ୍ୟା ୮୦୩

ନୂଆଦିଲ୍ଲୀ: ଉହାନ୍‌ରେ ଆଉ ୮୧ ଜଣଙ୍କର ମୃତ୍ୟୁ ଘଟିବାରୁ ରବିବାର ସୁଦ୍ଧା ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୮୦୩ ପହଞ୍ଚିଛି। ତେଣୁ, ଏହି ମହାମାରୀଜନିତ ମୃତ୍ୟୁସଂଖ୍ୟା ‘ସିଭର୍‌ ଆକ୍ୟୁଟ୍‌ ରେସ୍‌ପାଇରେଟରି ସିଣ୍ଡ୍ରମ୍‌’ (ସାର୍ସ)ଜନିତ ମୃତ୍ୟୁସଂଖ୍ୟାକୁ ଟପିଯାଇଥିବା କଥା ଆନୁଷ୍ଠାନିକଭାବେ ଘୋଷଣା କରାଯାଇଛି। ୨୦୦୨-୨୦୦୩ରେ ସମଗ୍ର ବିଶ୍ୱରେ ‘ସାର୍ସ’ ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୭୭୪ ହୋଇଥିଲା।

ସମ୍ପ୍ରତି ସମଗ୍ର ଚୀନ୍‌ରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬, ୬୯୦ ବୋଲି ରିପୋର୍ଟ କରାଯାଇଛି। ଆଉ ୨, ୧୪୭ଜଣ କରୋନାଭାଇରସ୍‌ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା କଥା ହୁବେଇ ପ୍ରଦେଶର ସ୍ୱାସ୍ଥ୍ୟ କମିସନ୍‌ ତାଙ୍କର ଦୈନିକ ରିପୋର୍ଟରେ ନିଶ୍ଚିତ କରି କହିଛନ୍ତି।

Image Source: Hindustan Times

ଶନିବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା କି, ଚୀନ୍‌ରୁ ମିଳୁଥିବା ସଂକ୍ରମଣ ସଂକ୍ରାନ୍ତ ରିପୋର୍ଟରୁ ଜଣାପଡୁଛି ଯେ ଏହାର ସ୍ଥିତି ଏକପ୍ରକାର ସ୍ଥିର ରହିଛି। କିନ୍ତୁ, ସତର୍କ କରାଇ ଦେଇଛି ଯେ ଏହି ଭୂତାଣୁ ସଂକ୍ରମଣ ଚରମ ସୀମାରେ ପହଞ୍ଚିଛି ବୋଲି କହିହେବ ନାହିଁ। (ଅର୍ଥାତ୍‌ ସଂକ୍ରମଣ ଆହୁରି ବ୍ୟାପକ ହୋଇପାରେ।)

ଶନିବାର ଦିନ ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏକ ସାମ୍ବାଦିକ ସମ୍ମିଳନୀରେ ବିବୃତି ଦେଇଛି ଯେ ହଙ୍ଗ୍‌ କଙ୍ଗ୍‌ ଏବଂ ଚୀନ୍‌ ଛଡ଼ା ସିଙ୍ଗାପୁର ଓ ଥାଇଲାଣ୍ଡ୍‌ରୁ ଆସୁଥିବା ବିମାନଗୁଡ଼ିକୁ ମଧ୍ୟ ବ୍ୟାପକଭାବେ ସ୍କ୍ରିନିଙ୍ଗ୍‌ କରାଯାଉଛି। ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବା ସମୁଦାୟ ୧୪୪୯ଟି ନମୁନାରୁ ୧୪୪୬ଟି ନମୁନା ନେଗେଟିଭ୍‌ ସାବ୍ୟସ୍ତ ହୋଇଛି। ପଜିଟିଭ୍‌ ଥିବା ବାକି ୩ଟି ନମୁନା ହେଉଛି କେରଳ ରାଜ୍ୟର।

ସମ୍ବନ୍ଧିତ ଖବର