ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ଚୀନ୍ରେ କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ଉପରେ ଚିନ୍ତା ପ୍ରକଟ କରି ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର (ଏସ୍ଆଇଆଇ) ‘ସିଇଓ’ ଅଦାର ପୁନାୱାଲା ଆଜି କହିଛନ୍ତି ଯେ, ଭାରତର ଟିକାକରଣ ଓ ଟ୍ରାକ୍ ରେକର୍ଡ ଚମତ୍କାର। ତେଣୁ, ଲୋକେ ଭୟଭୀତ ହେବା ଅନାବଶ୍ୟକ।
ଏଥିସହ ସେ ଜନସାଧାରଣଙ୍କୁ ମଧ୍ୟ ନିବେଦନ କରିଛନ୍ତି ଯେ, ଲୋକେ ଭାରତ ସରକାର ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଦ୍ବାରା ପ୍ରଣିତ ଗାଇଡ୍ଲାଇନ୍ ମାନିବା ଉଚିତ।
ଟୁଇଟ୍ କରି ପୁନାୱାଲା ଲେଖିଛନ୍ତି: ଚୀନ୍ରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଘଟିବା ଖବର ଚିନ୍ତାଜନକ। ଆମର ଟିକାକରଣ ଓ ଟ୍ରାକ୍ ରେକର୍ଡ ଉନ୍ନତ ଥିବାରୁ ଆମେ ଭୟଭୀତ ହେବା ଅନାବଶ୍ୟକ। ଭାରତ ସରକାର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ଗାଇଡ୍ଲାଇନ୍ ଅନୁଯାୟୀ ଆମେ ଚଳିବା ଉଚିତ।
/sambad/media/post_attachments/wp-content/uploads/2022/12/covid-1.jpg)
ସୂଚନାଯୋଗ୍ୟ, ଅଦାର ପୁନାୱାଲା ହେଉଛନ୍ତି, କୋଭିଡ୍-୧୯ ନିରୋଧୀ ଟିକା ‘କୋଭିସିଲ୍ଡ୍’ର ନିର୍ମାତା ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ‘ସିଇଓ’।
ଉଲ୍ଲେଖଯୋଗ୍ୟ, ‘ହଙ୍ଗ୍କଙ୍ଗ୍ ପୋଷ୍ଟ୍’ ରିପୋର୍ଟ ଅନୁସାରେ, ସରକାରୀ ଗଣନା ଅନୁସାରେ, ଦୈନିକ ୨୦୦୦ ସଂକ୍ରମିତ ହେଉଥିବା କଥା ଦର୍ଶାଯାଉଥିଲେ ବି ଚୀନ୍ରେ ଅସୁମାରୀ କୋଭିଡ୍-୧୯ ଆକ୍ରାନ୍ତ ଥିବା କଥା ଚୀନ୍ବାସୀ କହୁଛନ୍ତି।
ଚୀନ୍ ସମେତ ଆଉ କେତେକ ରାଷ୍ଟ୍ରରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଙ୍ଗଳବାର ଦିନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ କହିଛନ୍ତି ଯେ, ନୂଆ ଭେରିଏଣ୍ଟ୍ ଚିହ୍ନଟ କରିବା ଲାଗି ସେମାନେ ସମସ୍ତ କୋଭିଡ୍ ପଜିଟିଭ୍ ମାମଲା ‘ଇନ୍ସାକଗ୍’ ଲ୍ୟାବ୍କୁ ପଠାନ୍ତୁ।
ଦେଶରେ କୋଭିଡ୍-୧୯ ପରିସ୍ଥିତି ସଂକ୍ରାନ୍ତରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ ବରିଷ୍ଠ ସରକାରୀ ଅଧିକାରୀ ଓ ବିଶେଷଜ୍ଞମାନଙ୍କ ସହିତ ବୈଠକ କରିବେ।