ବେଜିଂ: ବିଭିନ୍ନ ଉପାୟରେ ଭାରତ ମହାସାଗରରେ ଚୀନ୍ ନିଜର ସ୍ଥାୟୀ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଗବେଷଣା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଥିବା ଚୀନ୍ର ଗୁପ୍ତଚର ଜାହାଜଗୁଡ଼ିକ ନିୟମିତ ଭାବେ ଭାରତ ମହାସାଗରକୁ ଆସୁଛନ୍ତି। ଚୀନ୍ର ଯୁଦ୍ଧ ଜାହାଜଗୁଡ଼ିକ ବି ଭାରତ ମହାସାଗରରେ ନିଜ ଆଧିପତ୍ୟ ଦେଖାଇବାରେ ଲାଗିଛି। ମାକ୍ରାନ ଉପକୂଳରୁ ବେଲୁଚିସ୍ତାନ ଉପକୂଳ ପର୍ଯ୍ୟନ୍ତ ଚୀନ୍ର ଜାହାଜଗୁଡ଼ିକ ୱାଟର ପ୍ରୋଫାଇଲ ଓ ଅନ୍ୟ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ଆସୁଛନ୍ତି। ପ୍ରକୃତରେ ଏହି ଜାହାଜଗୁଡ଼ିକରେ ଉଚ୍ଚମାନର ସେନ୍ସର ଖଞ୍ଜାଯାଇଛି, ଯାହା ସାର୍ କ୍ରିକ୍ ଅଞ୍ଚଳରେ ଚୀନ୍ ନିର୍ମାଣ କରୁଥିବା ଗ୍ରାଉଣ୍ଡ ଷ୍ଟେସନକୁ ବାର୍ତ୍ତା ପଠାଇବାକୁ ସକ୍ଷମ। ଏହି ଷ୍ଟେସନ ନିର୍ମାଣ ସରିଗଲେ ଜାହାଜର ସେନ୍ସରଗୁଡ଼ିକ ଚୀନ୍କୁ ଅନାୟାସରେ ବାର୍ତ୍ତା ପ୍ରେରଣ କରିପାରିବ।
ଅଞ୍ଚଳର ସର୍ବେକ୍ଷଣ କାମ ସରିଛି ଏବଂ ଚୀନ୍ ଟେକ୍ନିସିଆନମାନେ ଉକ୍ତ ଅଞ୍ଚଳରେ ଅଛନ୍ତି। ତେବେ ଭାରତ ମଧ୍ୟ ଚୀନ୍ର ଉଦ୍ଦେଶ୍ୟ ବିଷୟରେ ସଚେତନ ଏବଂ ଏହା ଶ୍ରୀଲଙ୍କାରେ ଅନୁରୂପ କାମ କରିବାକୁ ଚାହୁଛି। କିନ୍ତୁ ସେଥିପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସ୍ଥାନ ମିଳିପାରି ନାହିଁ। ଅତୀତରେ ଚୀନ୍ର ଏକ ଗୁପ୍ତଚର ଜାହାଜ ଶ୍ରୀଲଙ୍କା ବନ୍ଦରରେ ଲାଗିଥିଲା। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଚୀନ୍ ମଧ୍ୟ ପାକିସ୍ତାନକୁ ଏକ ଗବେଷଣା ଜାହାଜ ଦେଇଛି। ଏହି ଜାହାଜର ନାମ ରିଜୱାନ। ଏହା ୪୦୦୦ ଟନ ଓଜନର ଓ ୯୨ ମିଟର ଦୀର୍ଘ ଜାହାଜ। ଏହି ଜାହାଜ ସାହାଯ୍ୟରେ ପାକିସ୍ତାନ ଗବେଷଣା କାମ କରିପାରିବ ଏବଂ ଚୀନ୍କୁ ତଥ୍ୟ ଦେଇପାରିବ। ବିଶେଷତଃ ଉକ୍ତ ଅଞ୍ଚଳ ଜଳଭାଗର ଉତ୍ତାପ, ଗଭୀରତା, ଲବଣତା ଓ ଅନ୍ୟ ବୈଶିଷ୍ଟ୍ୟ ବିଷୟରେ ସୂଚନା ସାମୁଦ୍ରିକ କାର୍ଯ୍ୟକଳାପ ପାଇଁ ଗୁରୁତ୍ବପୂର୍ଣ୍ଣ। ଭାରତ ମହାସାଗର ଅଞ୍ଚଳକୁ ଚୀନ୍ ଅଧିକ ଜାହାଜ ପଠାଇବାକୁ ମଧ୍ୟ ଯୋଜନା କରିଛି।
ବର୍ତ୍ତମାନ ପାକିସ୍ତାନ ନୌସେନାରେ ଚାରୋଟି ଚୀନ୍ ନିର୍ମିତ ଯୁଦ୍ଧ ଜାହାଜ ଅଛି। ତେବେ ଚୀନ୍ ନିର୍ମିତ ଏକ ବୁଡ଼ା ଜାହାଜ ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାକିସ୍ତାନ ପାଖରେ ପହଞ୍ଚି ନାହିଁ। ପ୍ରଥମେ ଚୀନ୍ ଚାହୁଥିଲା ଏହାର ବୁଡ଼ା ଜାହାଜ ପାଇଁ ଜର୍ମାନୀରୁ ଇଞ୍ଜିନ ଆଣିବ। କିନ୍ତୁ ର୍ଜମାନୀ ଏହା ଦେବାକୁ ଆଉ ଆଗ୍ରହୀ ନ ଥିବା ପରି ଜଣାପଡ଼ୁଛି।