ନେପାଳରେ ବଢ଼ିଲା ଚୀନ୍‌ର ହସ୍ତକ୍ଷେପ

ମାଓବାଦୀ ସରକାର ସବୁ ରାସ୍ତା ଉନ୍ମୁକ୍ତ କରୁଛନ୍ତି

କାଠମାଣ୍ଡୁ : ୨୦୨୨ ଡିସେମ୍ବର ୨୬ରେ ସିପିଏନ୍‌ (ମାଓଇଷ୍ଟ ସେଣ୍ଟର) ନେତା ପୁଷ୍ପ କମଲ ଦହଲ ‌ନେପାଳରେ ସରକାର ଗଠନ କରିବା ପରଠାରୁ ଏହି ହିମାଳୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ପ୍ରସଙ୍ଗ‌ରେ ଚୀନ୍‌ର ହସ୍ତକ୍ଷେପ ବଢ଼ିଯାଇଛି। ନଭେମ୍ବର ୨୦ ନିର୍ବାଚନ ପରେ ଏବଂ ମାଓ ସଭାପତି ପୁଷ୍ପ କମଲ ଦହଲ ନେପାଳରେ ସରକାର ଗଠନ କରିବାପରେ ଚୀନ୍‌ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହସ୍ତକ୍ଷେପ କରୁଛି। ଏଥିରୁ ଜଣାପଡ଼ୁଛି ଯେ ଦକ୍ଷିଣ ଏସିଆରେ ଚୀନ୍‌ର ପ୍ରଭାବ ବୃଦ୍ଧି କରିବାରେ ନେପାଳ ସହଯୋଗ କରିବ। ଦହଲ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାପରେ କାଠମାଣ୍ଡୁ ସ୍ଥିତ ଚୀନ୍‌ ଦୂତାବାସ ପକ୍ଷରୁ ପ୍ରଥମେ ତାଙ୍କୁ ଶୁଭେଚ୍ଛା ଜଣାଯାଇଥିଲା। ଡିସେମ୍ବର ୨୬ରେ ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ନେପାଳର ଏକ ପାରମ୍ପରିକ ବନ୍ଧୁ ଏବଂ ପଡ଼ୋଶୀ ଭାବେ ଚୀନ୍‌ର ନେପାଳ ସହ ଘନିଷ୍ଠ ସମ୍ପର୍କ ରହିଛି। ନୂଆ ନେପାଳ ସରକାର ସହ ଆମେ ଘନିଷ୍ଠ ଭାବେ କାମ କରିବୁ ବୋଲି ଚୀନ୍‌ କହିଥିଲା।

ନିକଟରେ ପ୍ରକାଶ ପାଇଥିବା ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନେପାଳର ଉତ୍ତର ସୀମାରେ ଚୀନ୍‌ ୩୬ ଏକରର ଜମି ଅକ୍ତିଆର କରିଛି। କୃଷି ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଉତ୍ତର ସୀମାର ୧୦ଟି ସ୍ଥାନରେ ୩୬ ହେକ୍ଟର ଜମି ଦଖଲ କରିଛି। ନେପାଳର ଜମି ଅକ୍ତିଆର କରି ଚୀନ୍‌ ନିଜସ୍ବ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ନେପାଳ ସବୁ ସମର୍ଥନ ଦେବା କୂଟନୈତିକ ମହଲକୁ ବିସ୍ମିତ କରିଛି। ନେପାଳର ଆର୍ଥିକ ବ୍ୟାପାର, ଭିତ୍ତିଭୂମି ବିକାଶ ଏବଂ ଅନ୍ତର୍ଜାତୀୟ କାରବାର କ୍ଷେତ୍ରରେ ଚୀନ୍‌ର ମାତ୍ରାଧିକ ହସ୍ତକ୍ଷେପକୁ ମାଓବାଦୀ ସରକାରର ସମର୍ଥନ ଆଗକୁ ଭାରତ ପାଇଁ ସମସ୍ୟା ବଢ଼ାଇବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର