ସୀମାରେ ଚୀନ୍‌ର ଦୀର୍ଘ ମିଆଦି ରଣନୀତି, ସୈନିକଙ୍କ ସୁରକ୍ଷା ସୁବିଧା ବଢ଼ାଇଲା

ନୂଆଦିଲ୍ଲୀ : ଚୀନ୍‌ ଏବେ ସୀମାରେ ଦୀର୍ଘ ମିଆଦି ରଣନୀତିରେ ସେନା ଶିବିରଗୁଡ଼ିକୁ ସୁଦଢଢ଼ କରୁଛି। ବିବାଦୀୟ କ୍ଷେତ୍ରରେ ଭାରତର ଶକ୍ତିକୁ ଦେଖି ଚୀନ୍ ଏଲ୍‌ଏସି ନିକଟରେ ନି‌ଜ ସୈନିକମାନଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରିଛି ବୋଲି ଚୀନ୍‌ ସରକାରୀ ‌ମିଡ଼ିଆ ରିପୋର୍ଟରେ ପ୍ରକାଶ ପାଇଛି। ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ତଥ୍ୟ ଅନୁସାରେ ଶୀତଦିନେ ବଡ଼ ଧରଣର ସଂଘର୍ଷ ନ ହେଲେ ବି ଛୋଟକାଟ ସଂଘର୍ଷ ଲାଗି ରହିବ। ସେଥିପାଇଁ ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) ନିଜକୁ ପ୍ରସ୍ତୁତ ରଖିଛି।

ଗତବର୍ଷ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ହୋଇଥିବା ସଂଘର୍ଷ ପରେ ଭାରତ ଓ ଚୀନ୍ ସୀମାନ୍ତ ବାହିନୀ ଭିତରେ ବଡ଼ ଧରଣର ସଂଘର୍ଷ ଘଟିନାହିଁ। ପାଙ୍ଗୋଙ୍ଗ ମୁହାଁମୁହିଁ ପରେ ଉଭୟ ସେନା ସୀମାନ୍ତରେ ହଜାର ହଜାର ସୈନ୍ୟ ମୁତୟନ କରିଛନ୍ତି। ବ୍ୟାପକ ଅସ୍ତ୍ରଶସ୍ତ୍ର ମଧ୍ୟ ସୀମାନ୍ତରେ ମହଜୁଦ କରିଛନ୍ତି। ଅନେକ ପର୍ଯ୍ୟାୟ ସାମରିକ ଓ କୂଟନୈତିକ କଥାବାର୍ତ୍ତା କେବଳ ଆଜିଯାଏ ଆଂଶିକ ଯୁଦ୍ଧବିରତିକୁ ସୁନିଶ୍ଚିତ କରିଛି। ଶୀତର ପ୍ରବଳ ତାଡ଼ନା ଓ ସମ୍ଭାବ୍ୟ ଛୋଟକାଟର ସଂଘର୍ଷକୁ ଆଖି ଆଗରେ ରଖି ପିଏଲ୍‌ଏ ସୀମାନ୍ତ ସୈନିକମାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକର ସ୍ବଚ୍ଛନ୍ଦ ଯୋଗାଣ ବ୍ୟବସ୍ଥାକୁ ସୁଗମ କରିବା ଉପରେ ଗୁରୁତ୍ବ ଦେଇଛି। ସୀମାନ୍ତରେ ସୈନିକମାନଙ୍କ ବାସୋପଯୋଗୀ ବ୍ୟବସ୍ଥାରେ ଉନ୍ନତି କରିଛି। ଏହାଦ୍ବାରା ଅଧିକ ଉଚ୍ଚତାରେ ପ୍ରବଳ ଶୀତ‌ରେ ଶୂନ୍ୟରୁ କମ୍ ଡିଗ୍ରି ତାପମାତ୍ରାରେ ବି ସୈନିକମାନେ ଅଧିକ ଦିନ ରହିପାରିବେ।

ପିଏଲ୍‌ଏ ଶିଞ୍ଜିୟାଂ ମିଲିଟାରୀ କମାଣ୍ଡ୍‌ର ହୋଟାନ୍ ମିଲିଟାରୀ ସବ୍-କମାଣ୍ଡ ଅଧୀନରେ ନିଯୁକ୍ତ ସୈନିକମାନଙ୍କ ଅକ୍ସିଜେନ୍ ଥେରାପି ପାଇଁ ଏକ ପ୍ରକାର ସନ୍ତୁଳିତ ବାୟୁ-ଚାପ ପ୍ରକୋଷ୍ଠର ବ୍ୟବସ୍ଥା କରିଛି। ଏହାଦ୍ବାରା ନିମ୍ନ ବାୟୁଚାପ ଓ ଅମ୍ଳଜାନର ସ୍ବଳ୍ପ ଉପଲବ୍ଧତା ଜନିତ ସମସ୍ୟାରୁ ସୈନିକମାନେ ମୁକ୍ତ ରହିପାରିବେ। ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ପୋର୍ଟେବ୍‌ଲ ଅକ୍ସିଜେନେଟର, ଅକ୍ସିଜେନ୍ ଚାମ୍ବର ଓ ଅମ୍ଳଜାନ ଯୋଗାଣ ଡିଭାଇସର ମଧ୍ୟ ବ୍ୟବସ୍ଥା କରାଯାଇଛି। ଉଚ୍ଚ ମାଳଭୂମିରେ ଥିବା ବାରାକଗୁଡ଼ିକୁ କୋଇଲା, ବିଦ୍ୟୁତ୍ ଓ ସୌରଶକ୍ତିରେ ଉଷୁମ ରଖିବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର