ବେଜିଂ: ସୂଚନା ସୁରକ୍ଷା ଅଧିକାର ଉପରେ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ ସ୍ତରର ଏକ ବେସରକାରୀ ସଂଗଠନ ନିକଟରେ ପ୍ରେସ୍‌ ସ୍ବାଧୀନତା ସୂଚୀ ପ୍ରକାଶ କରିଛି। ଉକ୍ତ ରିପୋର୍ଟ ଅନୁଯାୟୀ, ଚୀନ ହେଉଛି ବିଶ୍ବରେ ସାମ୍ବାଦିକମାନଙ୍କ ପାଇଁ ସବୁଠୁ ବଡ଼ ଜେଲ୍‌। ୨୦୨୩ରେ ଚୀନରେ ୧୨୧ ଜଣ ସାମ୍ବାଦିକ ଅଟକର ସମ୍ମୁଖୀନ ହୋଇଛନ୍ତି। ଅଧିକନ୍ତୁ ଚୀନରେ ଗଣମାଧ୍ୟମ ସ୍ବାଧୀନତା ‘ଅନ୍ୟନ୍ତ ଗୁରୁତର ପରିସ୍ଥିତି’ ବର୍ଗରେ ରହିଛି। ୨୦୨୩ ବର୍ଷର ସୂଚୀରେ ବିଶ୍ବର ୧୮୦ଟି ଦେଶ ମଧ୍ୟରେ ଚୀନ ୧୭୯ତମ ସ୍ଥାନରେ ରହିଛି। କମ୍ୟୁନିଷ୍ଟ ଦେଶ ଚୀନ ଏହାର ଏକଛତ୍ର ଶାସନ ପାଇଁ ବେଶ୍‌ ଜଣାଶୁଣା। ଅଧିକାଂଶ ଗଣମାଧ୍ୟମକୁ ଚୀନ ସରକାର ନିୟନ୍ତ୍ରଣ କରିବା ସହିତ ପାଣ୍ଠି ଯୋଗାଇଥାନ୍ତି। ସେଗୁଡ଼ିକ ଚୀନ କମ୍ୟୁନିଷ୍ଟ ପାର୍ଟି (ସିପିପି)ର ମୁଖପତ୍ର ଭାବେ କାର୍ଯ୍ୟ କରନ୍ତି ଏବଂ ଚୀନର ନାଗରିକମାନଙ୍କ ମଧ୍ୟରେ ସରକାରୀ ଅନୁକୂଳ ସୂଚନା ଯେଭଳି ପ୍ରବେଶ କରିବ ସେ ଦିଗରେ ଅହରହ କାର୍ଯ୍ୟ କରନ୍ତି। କହିବା ବାହୁଲ୍ୟ ଯେ, ଗଣମାଧ୍ୟମ ସରକାରଙ୍କ କଠିନ ନିରୀକ୍ଷଣ ଏବଂ ନିୟନ୍ତ୍ରଣ ବ୍ୟବସ୍ଥାରେ ରହିଛନ୍ତି। ସିପିପି ଯେଉଁ ସୂଚନାକୁ ସମ୍ବେଦନଶୀଳ ବୋଲି ବିବେଚନା କରେ ସେଗୁଡ଼ିକର ରିପୋର୍ଟ କରିଲେ ଗଣମାଧ୍ୟମ ନିୟନ୍ତ୍ରଣ, ହଇରାଣ, ଧମକଚମକ ଏବଂ ଚାପର ସମ୍ମୁଖୀନ ହୋଇଥାନ୍ତି।

Advertisment

୨୦୧୨ରେ ସି ଜିନପିଙ୍ଗ୍ ଦେଶର ନେତୃତ୍ବ ନେବା ପରେ ଗଣମାଧ୍ୟମ ଉପରେ ଯାଞ୍ଚ ଏବଂ ଦମନ ବଢ଼ିଛି। ସରକାରୀ ବିରୋଧୀ ସୂଚନା ପାଇବା ଏକ ପ୍ରକାର ବନ୍ଦ ଥିବାବେଳେ ବେଜିଂ ବିରୋଧରେ ଖବର ପ୍ରକାଶକୁ ଅପରାଧ ବୋଲି ବିବେଚନା କରାଯାଇଥାଏ। ସାମ୍ବାଦିକମାନଙ୍କୁ ଗିରଫ କରାଯିବା ପୂର୍ବରୁ ସେମାନଙ୍କୁ ଅଟକ ରଖାଯିବା ସହିତ ଅକଥନୀୟ ନିର୍ଯାତନା ଦିଆଯାଇଥାଏ। ସମ୍ବେଦନଶୀଳ ପ୍ରସଙ୍ଗରେ ରିପୋର୍ଟ କରୁଥିବା କିମ୍ବା ଉଇଘର ମୁସ୍‌ଲିମ ଭଳି ସଂଖ୍ୟାଲଘୁ ବର୍ଗରୁ ସାମ୍ବାଦିକତା କରୁଥିବା ସାମ୍ବାଦିକମାନଙ୍କୁ ଗୁଇନ୍ଦାଗିରି ଆଦି ଅଭିଯୋଗରେ ବନ୍ଦୀ କରାଯିବା ସହିତ କଠୋର ଦଣ୍ଡରେ ଦଣ୍ଡିତ କରାଯାଇଥାଏ।