ନୂଆଦିଲ୍ଲୀ: ଏଲ୍ଏସିରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଭିତରେ ଚୀନ୍ ଭାରତ ଉପରେ ଚାପ୍ ସୃଷ୍ଟି ପାଇଁ ନୂଆ ନୂଆ କୌଶଳ ଅବଲମ୍ବନ କରୁଛି। ଏହି କ୍ରମରେ ଚୀନ୍ ଲଦାଖ୍ ସୀମା ନିକଟରେ ଜୋର୍ଦାର ଯୁଦ୍ଧାଭ୍ୟାସ ଚଳାଇଛି ଏବଂ ଏଥିରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରୁଛି । ଚୀନ୍ କେତେକ କ୍ଷୁଦ୍ର କ୍ଷେପଣାସ୍ତ୍ର ଏବଂ ନୂଆ ଅସ୍ତ୍ରକୁ ଏହି ସମରାଭ୍ୟାସରେ ସାମିଲ କରିଛି। ଚୀନ୍ ସେନା ଅତ୍ୟାଧୁନିକ ରକେଟ୍ ଲଂଚର୍ ବ୍ୟବହାର କରୁଥିବା ଭିଡିଓ ମଧ୍ୟ ଚୀନ୍ ସରକାରଙ୍କ ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସ ପକ୍ଷରୁ ଜାରି ହୋଇଛି । ଗୋଟିଏ ପରେ ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ତୁହାକୁ ତୁହା ଆଲୋଚନା ଚାଲିଥିବା ବେଳେ ଅନ୍ୟ ପଟେ ଚୀନ୍ ଏଲ୍ଏସି ନିକଟରେ ଯୁଦ୍ଧାଭ୍ୟାସ ଜାରି ରଖିବା ଏହାର ଷଡ଼ଯନ୍ତ୍ରପୂର୍ଣ୍ଣ ନୀତିକୁ ପଦାରେ ପକାଇ ଦେଇଛି।
ଏଲ୍ଏସି ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବା ବେଳେ ପୂର୍ବ ଲଦାଖ୍ରେ ସୈନ୍ୟ ମୁତୟନ ବଢ଼ିବାରେ ଲାଗିଛି। ଚୀନ୍ ୬୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଥିବାରୁ ଭାରତ ମଧ୍ୟ ଏହାଠାରୁ ଅଧିକ ସେନା ମୁତୟନ ସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ପଦକ୍ଷେପ ତ୍ବରାନ୍ବିତ କରିଛନ୍ତି। ଏଲ୍ଏସିକୁ ଭାରୀ ଯୁଦ୍ଧାସ୍ତ୍ର ପରିବହନ ଜାରି ରହିଛି। ଭାରତୀୟ ବାୟୁସେନାର ପରିବହନ ବିମାନଗୁଡ଼ିକ ଏ ଦିଗରେ ଅହରହ ନିୟୋଜିତ ଅଛନ୍ତି। ଏଭଳି ସ୍ଥିତିରେ ସୀମା ବିବାଦ ନେଇ ଅଷ୍ଟମ ପର୍ଯ୍ୟାୟ ସାମରିକ ଆଲୋଚନା ନିମନ୍ତେ ମଧ୍ୟ ପ୍ରସ୍ତୁତି ଚାଲିଛି ଏବଂ ସପ୍ତାହକ ମଧ୍ୟରେ ଏହା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ୭ଟି ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି ଏବଂ ଚୀନ୍ ସେନା ପ୍ରତ୍ୟାହାର ପାଇଁ ରାଜି ହୋଇନାହିଁ। ୧୫୯୭ କିମି ବ୍ୟାପି ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଭାରତ ଏବେ ସୈନ୍ୟ ମୁତୟନ ବଢ଼ାଇ ଦେଇଛି ଏବଂ ଚୀନ୍ର ଯେ କୌଣସି ଚାଲ୍କୁ ପଣ୍ଡ କରିବାକୁ ସେନା ତୟାର ରହିଛି। ଆବଶ୍ୟକସ୍ଥଳେ ମାଇନସ୍ ୫୦ ଡିଗ୍ରିରେ ବି ବଡ଼ ଲଢ଼େଇ ପାଇଁ ଭାରତ ପ୍ରସ୍ତୁତ ହେଉଛି। ଏଥିପାଇଁ ଆମେରିକାରୁ ସ୍ବତନ୍ତ୍ର ଯୁଦ୍ଧ କିଟ୍ ଆଣିବା ପାଇଁ ଚୁକ୍ତି ଚୂଡ଼ାନ୍ତ ହୋଇଛି।
ଏଲ୍ଏସିରେ ଭାରତ ଏବେ ବ୍ରହ୍ମୋସ ଏବଂ ନିର୍ଭୟ କ୍ଷେପଣାସ୍ତ୍ର ମୁତୟନ କରିଛି। ଉପଗ୍ରହ ମାଧ୍ୟମରେ ବି ଚୀନ୍ ସେନାର ଗତିବିଧି ଉପରେ ଅହରହ ନଜର ରଖାଯାଉଛି। ଭାରତ ଦଖଲରେ ଏବେ ୧୪ଟି ଗୁରୁତ୍ବପୂର୍ଣ୍ଣ ପର୍ବତ ଶିଖର ରହିଥିବାରୁ ଚୀନ୍ ଏଗୁଡ଼ିକୁ ଖାଲି କରିବା ପାଇଁ ସର୍ତ୍ତ ରଖିଛି। କିନ୍ତୁ ଭାରତ ଏହି ସର୍ତ୍ତକୁ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି ଏବଂ ଚୀନ୍ ସେନା ସଂପୂର୍ଣ୍ଣ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଭାରତ ନିଜର ସ୍ଥିତି ବଦଳାଇବ ନାହିଁ ବୋଲି ସ୍ପଷ୍ଟ କରିଛି।