ଦକ୍ଷିଣ ଚୀନ ସାଗରରେ ଉତ୍ତେଜନା : ଆମେରିକାର ଯୁଦ୍ଧ ଜାହାଜକୁ ଘଉଡ଼ାଇଦେଲା ଚୀନ

ବେଜିଂ : ଚୀନ ଦାବି କରୁଥିବା ଜଳସୀମାରେ ଅନୁପ୍ରବେଶ କରିଥିବା ଏକ ଆମେରିକାର ଯୁଦ୍ଧ ଜାହାଜକୁ ଘଉଡ଼ାଇଦେଇଛି ଚୀନ ନୌସେନା । ଏହାକୁ ନେଇ ଦକ୍ଷିଣ ଚୀନ ସାଗରରେ ଉତ୍ତେଜନା ଦେଖାଦେଇଛି ।

ଚୀନ ସାମରିକ ବାହିନୀ ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ଚୀନ ସାଗରରେ ଥିବା ପାରାସଲ ଦ୍ବୀପ ନିକଟରେ ଥିବା ଜଳରାଶିରେ ଆମେରିକାର ଗାଇ଼ଡେଡ୍ ମିସାଇଲ ଡେଷ୍ଟ୍ରୟର ଜାହାଜ ୟୁଏସଏସ ମିଲିଅସ୍ ଅନୁପ୍ରବେଶ କରିଥିଲା । ଏହି ଅନୁପ୍ରବେଶ ଫଳରେ ଏହି ଅଂଚଳର ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଘଟିବାର ଆଶଙ୍କା ଥିଲା ।  ଏଣୁ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଏହାକୁ ଘଉଡ଼ାଇଦେଇଛି ।

ଚୀନ ପକ୍ଷରୁ କୁହାଯାଇଛି ଯେ, ପିଏଲଏର ଦକ୍ଷିଣାଞ୍ଚଳ ଥିଏଟର କମାଣ୍ଡ ଆମେରିକୀୟ ଯୁଦ୍ଧ ଜାହାଜକୁ ଠାବ କରିବା ସହ ତାହାର ଗତିବିଧି ଉପରେ ନଜର ରଖିଥିଲା ଓ ଫେରିଯିବାକୁ ଚେତାବନୀ ଦେଇଥିଲା । ପରେ ଏହି ଜାହାଜ ଫେରିଯାଇଥିଲା । ଚୀନ ପକ୍ଷରୁ ଆହୁରି ମଧ୍ୟ କୁହାଯାଉଛି ଯେ ଦକ୍ଷିଣ ଚୀନ ସାଗର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ପାଇଁ ଆମେରିକା ଉଦ୍ୟମ କରୁଛି । କିନ୍ତୁ ଚୀନ ସେନା ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ।

ଦକ୍ଷିଣ ଚୀନ ସାଗରକୁ ଚୀନ ନିଜର ଜଳକ୍ଷେତ୍ର ବୋଲି ଦାବି କରୁଥିବାବେଳେ ଆମେରିକା, ଫିଲିପାଇନ୍ସ, ଜାପାନ, ଭାରତ, ଇଣ୍ଡୋନେସିଆ ଆଦି ଦେଶ ଏହାକୁ ଅନ୍ତର୍ଜାତୀୟ ଜଳକ୍ଷେତ୍ର ବୋଲି କହୁଛନ୍ତି । ଏଣୁ ଅନ୍ତର୍ଜାତୀୟ ଆଇନ ଅନୁସାରେ ଏହି ସମୁଦ୍ରରେ ଚଳାଚଳ କରିବା ସମସ୍ତଙ୍କ ଅଧିକାର ବୋଲି ଏସବୁ ଦେଶ କହୁଛନ୍ତି ।

 

ସମ୍ବନ୍ଧିତ ଖବର