ସେନା ହଟାଇବାକୁ ଚୀନ୍ର ନୂଆ ସର୍ତ୍ତ, ଭାରତୀୟ ସେନାକୁ ଚୁସୁଲ ଶିଖର ଖାଲି କରିବାକୁ କହିଲା
ପାଙ୍ଗଙ୍ଗ୍ ସୋ’ ହ୍ରଦର ଉତ୍ତର ଉପକୂଳ ତୁରନ୍ତ ଛାଡ଼ିବାକୁ କହିଲା ଭାରତ
ନୂଆଦିଲ୍ଲୀ: ଲଦାଖ ସୀମାରେ ଜାରି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଟାଳିଦେବା ଉଦ୍ଦେଶ୍ୟରେ ଭାରତ ଓ ଚୀନ୍ ମଧ୍ୟରେ ବାରମ୍ବାର କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ଜାରି ରହିଛି। ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ହ୍ରାସ ସହ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଉଭୟ ପକ୍ଷର ସେନା ପ୍ରତ୍ୟାହାର ଅପରିହାର୍ଯ୍ୟ ହୋଇପଡ଼ିଥିବା ବେଳେ ଏଥିପ୍ରତି ଚୀନୀ ସେନା ଆଦୌ ଆଗ୍ରହୀ ନଥିବା ଜଣାଯାଇଛି। ଅପରପକ୍ଷେ, ଚୀନୀ ସେନା ଏଥିପାଇଁ ନୂଆ ନୂଆ ସର୍ତ୍ତ ଲଗାଇବା ଦ୍ବାରା ପରିସ୍ଥିତି ଜଟିଳ ହେବା ସହ ସମାଧାନର ବାଟ ବି ବାହାରି ପାରୁନାହିଁ। ନିୟନ୍ତ୍ରଣ ରେଖା ନିକଟରେ ଏପ୍ରିଲ ପୂର୍ବର ସ୍ଥିତି ବଜାୟ ରଖିବା ଲାଗି ଭାରତ ପକ୍ଷରୁ ଦୃଢ଼ ଦାବି ହେଉଥିବା ବେଳେ ଭାରତୀୟ ଯବାନମାନେ ଆଗେ ଚୁସୁଲ ସବ୍ସେକ୍ଟର ଅନ୍ତର୍ଗତ ପାଙ୍ଗଙ୍ଗ ସୋ’ ହ୍ରଦର ଦକ୍ଷିଣ ଉପକୂଳରୁ ଅପସରିଯିବା ଲାଗି ଚୀନ୍ ନୂଆ ସର୍ତ୍ତ ଲଗାଇଛି। ଅର୍ଥାତ୍ ଭାରତୀୟ ଯବାନମାନେ କବ୍ଜା କରି ରଖିଥିବା ଗୁରୁତ୍ବପୂର୍ଣ୍ଣ ପର୍ବତ ଶିଖରଗୁଡ଼ିକ ଖାଲି କଲା ପରେ ହିଁ ଚୀନ୍ ସେନା ପାଙ୍ଗଙ୍ଗ ସୋ’ ହ୍ରଦର ଉତ୍ତର ଉପକୂଳ ସ୍ଥିତ ଫିଙ୍ଗର ୪ ଇଲାକାରୁ ପଛକୁ ହଟିବ ବୋଲି କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଭାରତୀୟ ସେନା ପ୍ରକୃତ ନିୟନ୍ତ୍ରଣ ରେଖା ଭାବେ ଅନୁଭବ କରୁଥିବା ପାଙ୍ଗଙ୍ଗ ସୋ’ ହ୍ରଦର ଉତ୍ତର ଉପକୂଳ ଯାଏ ଚୀନୀ ସୈନିକମାନେ ଧସେଇ ପଶି ଆସିଛନ୍ତି। ତେବେ ସେମାନଙ୍କ ଅତିକ୍ରମଣର ଜବାବ ସ୍ବରୂପ ଚୀନ୍ ନିୟନ୍ତ୍ରଣ ରେଖା ବୋଲି ଦାବି କରୁଥିବା ପାଙ୍ଗଙ୍ଗ ସୋ’ ହ୍ରଦର ଦକ୍ଷିଣ ଉପକୂଳରେ ଗୁରୁତ୍ବପୂର୍ଣ୍ଣ ସାତଟି ପର୍ବତ ଶିଖରରେ ଗତ ଅଗଷ୍ଟ ଶେଷ ଭାଗ ଆଡ଼କୁ ଭାରତୀୟ ଯବାନମାନେ ଆଡ଼ା ଜମେଇ ରହିଛନ୍ତି। ଏହାଦ୍ବାରା ସଂପୃକ୍ତ ଇଲାକାରେ ସୁଦୃଢ଼ ସାବ୍ୟସ୍ତ ହୋଇଥିବା ଭାରତୀୟ ସେନା ଏକ ସୁବିଧାଜନକ ସ୍ଥିତିରେ ରହିଛି। ଗତ ସୋମବାରର ସପ୍ତମ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନାରେ ଉଭୟ ପକ୍ଷର ଏହିପରି କୂଟନୈତିକ ଓ ସାମରିକ ଆଲୋଚନା ମାଧ୍ୟମରେ ଏକ ସହମତିଭିତ୍ତିକ ସମାଧାନ ଦ୍ବାରା ସେନା ପ୍ରତ୍ୟାହାର ହୋଇପାରିବ ବୋଲି ମିଳିତ ବିବୃତିରେ ଜଣାଇଛନ୍ତି। ମାତ୍ର ନିର୍ଦ୍ଦିଷ୍ଟ ଭାବେ କି ପ୍ରକାର ପଦକ୍ଷେପରେ ତାହା ସମ୍ଭବ ହୋଇପାରିବ, ସେ ସମ୍ପର୍କରେ କିଛି ଉଲ୍ଲେଖ କରିନାହାନ୍ତି।