ବେଜିଂ: ଭାରତକୁ ଘେରିବା ପାଇଁ ଚୀନ୍ ଏବେ ବଡ଼ ଷଡ଼ଯନ୍ତ୍ର କରିଛି। ଚୀନ୍ ନିଜ ସବୁ ଋତୁର ବନ୍ଧୁ ପାକିସ୍ତାନର ସାମରିକ ଶକ୍ତିକୁ ସୁଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି। ଖୁବ୍ଶୀଘ୍ର ଚୀନ୍ କେତେକ ଅତ୍ୟାଧୁନିକ ଯୁଦ୍ଧ ପୋତ ଏବଂ ବୁଡ଼ା ଜାହାଜ ପାକିସ୍ତାନକୁ ବିକ୍ରି କରିବାକୁ ଯାଉଛି। ପାକିସ୍ତାନର ନୌସେନାକୁ ଭାରତର ସମକକ୍ଷ କରାଇବାକୁ ଯୋଜନା କରି ଚୀନ୍ ଏଭଳି ପଦକ୍ଷେପ ନେଇଛି। ଏଥିପାଇଁ ୪ଟି ଯୁଦ୍ଧ ପୋତ ଏବଂ ୮ଟି ବୁଡ଼ା ଜାହାଜ ବିକ୍ରି ପାଇଁ ଚୁକ୍ତି ଚୂଡ଼ାନ୍ତ ହୋଇଛି। ପାକିସ୍ତାନ ନୌସେନାର ବରିଷ୍ଠ ଅଧିକାରୀମାନେ ଚୀନ୍ ଗସ୍ତରେ ଯାଇ ଏସବୁ ଯୁଦ୍ଧ ପୋତ ଏବଂ ବୁଡ଼ା ଜାହାଜର ଅପରେସନ ଦେଖିଥିବା ଜଣାପଡ଼ିଛି ।
କ୍ରୁଜ୍ କ୍ଷେପଣାସ୍ତ୍ର ଖଂଜା ଯାଇଥିବା ଏହି ଯୁଦ୍ଧ ପୋତ ପାକିସ୍ତାନକୁ ବିକ୍ରି କରି ଭାରତର ସମସ୍ୟା ବଢ଼ାଇବାକୁ ଚୀନ୍ ଚାହୁଛି। ଲଦାଖ୍ରେ ଚୀନ୍ ସେନାର ସବୁ ଷଡ଼ଯନ୍ତ୍ରକୁ ଭାରତ ପଣ୍ଡ କରୁଥିବାରୁ ଏବେ ପାକିସ୍ତାନ ମାଧ୍ୟମରେ ଚାପ ସୃଷ୍ଟି କରିବାକୁ ଚୀନ୍ ଯୋଜନା କରିଛି। ପାକିସ୍ତାନର ଏଡ୍ମିରାଲ ଏମ୍ ଅମଜଦ୍ ଖାନ୍ କହିଛନ୍ତି ଯେ ପାକିସ୍ତାନୀ ନୌସେନାର ଆଧୁନିକୀକରଣ ପ୍ରକ୍ରିୟା ଏବେ ତ୍ବରାନ୍ବିତ ହୋଇଛି ଏବଂ ଦୂରଗାମୀ କ୍ଷେପଣାସ୍ତ୍ରରେ ସଜ୍ଜିତ ଯୁଦ୍ଧ ପୋତ ହାସଲ ହେବାପରେ ଆମେ ଯେ କୌଣସି ଶକ୍ତିକୁ ଚ୍ୟାଲେଂଜ ଦେଇପାରିବୁ।