ଭାରତ ମହାସାଗର ଉପରେ ନଜର, ମାଳଦୀପରେ ଚୀନ ତିଆରି କରୁଛି ମହାସାଗର ନିରୀକ୍ଷଣ କେନ୍ଦ୍ର

ନୂଆଦିଲ୍ଲୀ: ମାଳଦୀପ ଠାରେ ଚୀନ ପକ୍ଷରୁ ଏକ ଯୁଗ୍ମ ମହାସାଗର ନିରୀକ୍ଷଣ କେନ୍ଦ୍ର ସ୍ଥାପନ ପାଇଁ ଯୋଜନା କରାଯାଉଛି।ଏହା ଭାରତ ପାଇଁ ଆଉ ଏକ ସୁରକ୍ଷା ପ୍ରଶ୍ନ ସୃଷ୍ଟି କରିପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ବିଶେଷ କରି  ମାଳଦୀପର ବିରୋଧୀ ଦଳନେତା ଏହି ମହାସାଗର ନିରୀକ୍ଷଣ କେନ୍ଦ୍ର କେବଳ ସମୁଦ୍ର ନିରୀକ୍ଷଣ ପାଇଁ ନୁହେଁ, ଏହା ପଛରେ  ମିଲିଟାରୀ ବ୍ୟବସ୍ଥା ଏପରିକି ସବ୍‌ମେରିନ୍‌ ବେସ୍‌୍‌ ପ୍ରତିଷ୍ଠା ପାଇଁ ଚୀନ୍‌ ଚାହୁଁଥିବା କହିବା ପରେ ଭାରତ ଏ ନେଇ ବେଶ୍‌ ସତର୍କ ହୋଇ ଉଠିଛି।

ସୂଚନାଯୋଗ୍ୟ ଯେ ଚୀନ ପକ୍ଷରୁ  ମାଳଦୀପର ମକୁନୁଧୁ ଠାରେ  ଏହି ନିରୀକ୍ଷଣ କେନ୍ଦ୍ର ସ୍ଥାପନା କରାଯାଉଛି।  ଯାହା ଫଳରେ ଚୀନ କର୍ତ୍ତୃପକ୍ଷ ଭାରତ ମହାସାଗର ଦେଇ ହେଉଥିବା ପଣ୍ୟ କାରବାର ସହିତ ଅନ୍ୟନ୍ୟ ଯାହାଜ  ଚଳାଚଳ ଉପରେ  ନଜର ରଖିପାରିବ। ଏହାଦ୍ୱାରା ଭାରତ  ନିଜକୁ ସହଜ ମଣି ନ ପାରେ ବୋଲି ମେଲେ ପକ୍ଷରୁ କୁହାଯାଇଛି। ଭାରତ ପକ୍ଷରୁ  ସ୍ପଷ୍ଟ କରାଯାଇଛି ଯେ ମାଳଦୀପ ଓ ଚୀନ ମଧ୍ୟରେ  ଏ ନେଇ ଗତବର୍ଷ ଏକ  ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି। ତେବେ ଏ ନେଇ କୌଣସି ନିର୍ଦ୍ଦିଷ୍ଟ ମନ୍ତବ୍ୟ ଦେବା ପୂର୍ବରୁ ଭାରତ  ଚୁକ୍ତିରେ ଥିବା  ସର୍ତ୍ତଗୁଡ଼ିକ ଜାଣିବା ଜରୁରି ବୋଲି  କହିଛି।

ସେହିପରି ମାଳଦୀପର ମୁଖ୍ୟ ବିରୋଧୀ ଦଳ ର ଜଣେ ନେତା କହିଛନ୍ତି  ଯେ ଚୀନର ଏହି ଉଦ୍ୟମ ଯେପରି ସଫଳ ହୋଇ ନ ପାରିବ ସେଥିପାଇଁ ଭାରତ ସୁନିଶ୍ଚିତ କରିବା କଥା। ଏହା ହେଲେ ଭାରତକୁ ଘେରିବା ପାଇଁ ଚୀନ ଅଧିକ ସୁଯୋଗ ପାଇବ। କେବଳ ସେହତିକି ନୁହେଁ,  ଭାରତ ଓ ମାଳଦୀପ ମଧ୍ୟରେ ପାରମ୍ପରିକ ସୁରକ୍ଷା  ଚୁକ୍ତିି ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବ ବୋଲି ନେତା ଜଣକ ସତର୍କ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର