ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର ପାଇଁ ଚୀନର ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର ପାଇଁ ଚୀନର ପ୍ରସ୍ତାବକୁ ଖାରଜ କରିଦେଇଛି ଭାରତୀୟ ସେନା । ଏହା ସମ୍ଭବ ନୁହେଁ ବୋଲି ଭାରତୀୟ ସେନା ସ୍ପଷ୍ଟ ଭାବେ ଜଣାଇଦେଇଛି ।

ଚୀନ ସେନା (ପିଏଲଏ) ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ ଭାରତୀୟ ସେନା ଫିଙ୍ଗର ୮ରୁ ସେନା ପ୍ରତ୍ୟାହାର କରି ଫିଙ୍ଗର ୧ ପର୍ୟ୍ୟନ୍ତ ଚାଲିଯାଉ । ଏହି ମଧ୍ୟବର୍ତ୍ତି ଅଞ୍ଚଳକୁ ବଫର ଜୋନ ବା ନୋ ମ୍ୟାନ୍ସ ଲାଣ୍ଡ ( ମନୁଷ୍ୟ ବିହୀନ ଅଞ୍ଚଳ) କରିବାକୁ ଚୀନ ପ୍ରସ୍ତାବ ଦେଇଥିଲା । କିନ୍ତୁ ଏହା ପଛରେ ଚୀନର ଷଡ଼ଯନ୍ତ୍ର ରହିଥିବା ଆଶଙ୍କା କରାଯାଉଥିବାରୁ ଭାରତ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛି ।

ଚୀନ ସେନାର ଅନୁପ୍ରବେଶ ପାଇଁ ତାକୁ ପୁରସ୍କୃତ କରିହେବ ନାହିଁ । ଚୀନ ସେନା ଏପ୍ରିଲ ୨୦୨୦ ପୂର୍ବର ସ୍ଥିତିକୁ ଚାଲିଯାଉ ବୋଲି ଭାରତୀୟ ସେନାର ଜଣେ କମାଣ୍ଡର କହିଛନ୍ତି ।
ଏବେ ଉଭୟ ଭାରତ ଓ ଚୀନ ସେନା ଫିଙ୍ଗର ୪ ଅଞ୍ଚଳରେ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଚୀନ ଫିଙ୍ଗର ୮ ଅଞ୍ଚଳରେ ନିଜର ଭିତ୍ତିଭୂମି ନିର୍ମାଣ କାମ ଜାରି ରଖିଛି । ସେହିପରି ଗୋଗ୍ରା-ହଟ ସ୍ପ୍ରିଙ୍ଗ ଅଞ୍ଚଳରେ ମଧ୍ୟ ଦୁଇ ସେନା ମୁହାଁମୁହିଁ ଅବସ୍ଥା ରେ ରହିଛନ୍ତି ।

ଆଜି ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରାଓ୍ବାଣେ ପୂର୍ବ ଲଦାଖର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ।

ସମ୍ବନ୍ଧିତ ଖବର