ଚୀନ ସଂସଦରେ ଗୃହୀତ ହେଲା ବିବାଦୀୟ ଜାତୀୟ ସୁରକ୍ଷା ବିଲ୍‌, ହଂକଂରେ ଆନ୍ଦୋଳନ ଜାରି

ବେଜିଂ : ହଂକଂବାସୀଙ୍କ ପ୍ରବଳ ବିରୋଧ ତଥା ଆମେରିକା ଓ ବିଶ୍ୱର ଅନ୍ୟ ଦେଶମାନଙ୍କ ଆପତ୍ତି ଏବଂ ସତ୍ତ୍ୱେ ଚୀନ ବିବାଦୀୟ ହଂକଂ ଜାତୀୟ ସୁରକ୍ଷା ବିଲକୁ ମଂଜୁର କରିଛି । ଏହି ବିଲ ଗୃହୀତ ହେବା ପରେ ହଂକଂ ନିଜର ସ୍ୱାୟତ୍ତତା ହରାଇବା ଆଶଙ୍କା କରାଯାଉଛି ।

ଚୀନର ସଂସଦ ଜାତୀୟ ପିପୁଲ୍ସ କଂଗ୍ରେସରେ ଆଜି ଏହି ବିଲ ସପକ୍ଷରେ ୨୮୭୮ ଓ ବିପକ୍ଷରେ ଗୋଟିଏ ଭୋଟ ପଡ଼ିଥିଲା । ଭୋଟିଂ ବେଳ ୬ ଜଣ ସଦସ୍ୟ ଅନୁପସ୍ଥିତ ଥିଲେ । ଏହି ବିଲ ଗୃହୀତ ହେବା ପରେ ଏଣିକି ହଂକଂରେ ଚୀନର ଜାତୀୟ ସୁରକ୍ଷା ଆଇନ ଲାଗୁ ହେବ । ଏହା ଦ୍ୱାରା ହଂକଂବାସୀଙ୍କୁ ମିଳିଥିବା ସ୍ୱାୟତ୍ତତା ସଂକୁଚିତ ହେବାର ସମ୍ଭାବନା ରହିଛି ।

ଚୀନ କହୁଛି ଯେ ଏହି ବିଲ ଦ୍ୱାରା ହଂକଂରେ ବିଦେଶୀ ହସ୍ତକ୍ଷେପ, ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିହେବ । କିନ୍ତୁ ଏହା ଦ୍ୱାରା ହଂକଂର ସମ୍ବିଧାନ ଲୋପ ପାଇଯିବ । ୧୯୯୭, ଜୁଲାଇ ୧ ରେ ବ୍ରିଟେନ ନିଜର ଶେଷ ଉପନିବେଶ ହଂକଂକୁ ଚୀନକୁ ହସ୍ତାନ୍ତର କରିଥିଲା । ତେବେ ଦୁଇଦେଶ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ୫୦ ବର୍ଷ ପର୍ଯ୍ୟନ୍ତ ବା ୨୦୪୭ ପର୍ଯ୍ୟନ୍ତ ଚୀନ ହଂକଂରେ ନିଜର କମ୍ୟୁନିଷ୍ଟ ଶାସନ ଲାଗୁ କରିପାରିବ ନାହିଁ । କିନ୍ତୁ ଆଜିର ନୂଆ ବିଲ ଗୃହୀତ ହେବା ପରେ ଚୀନ ବ୍ରିଟେନ ସହ କରିଥିବା ନିଜର ରାଜିନାମାର ଉଲ୍ଲଙ୍ଘନ କରିଛି ।

ସମ୍ବନ୍ଧିତ ଖବର