ତିବ୍ଦତରେ ଚୀନ ସେନାର ବଡ଼ ଧରଣର ସମରାଭ୍ୟାସ, ଭାରତର ଚିନ୍ତା ବଢୁଛି

ବେଜିଂ : ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଭାରତକୁ ଲାଗିଥିବା ତିବ୍ଦତରେ ଏକ ବଡ଼ ଧରଣର ସମରାଭ୍ୟାସ ଆରମ୍ଭ କରିଥିବା ସୂଚନା ମିଳିଛି । ଏହି ସମରାଭ୍ୟାସରେ ବିଭିନ୍ନ ଓଜନିଆ ଅତ୍ୟାଧୁନିକ ଯୁଦ୍ଧଉପକରଣର ପରୀକ୍ଷା କରାଯାଉଛି । ଏଗୁଡ଼ିକ ମଧ୍ୟରେ ରହିଛି ୧୫୫ ଏମଏମ ହାଓ୍ଵିଜର ତୋପ ଓ ଟାଇପ-୧୫ ଲାଇଟ ଟ୍ୟାଙ୍କ,ହେଲିକାପ୍ଟର, ଆଣ୍ଟି-ଏୟାରକ୍ରାଫ୍ଟ ଆଦି ।

ଏହି ସମରାଭ୍ୟାସକୁ ନେଇ ସଂଦେହ ପ୍ରକଟ କରିଛନ୍ତି ସାମରିକ ବିଶେଷଜ୍ଞ । ଭବିଷ୍ୟତରେ ଭାରତ ସହିତ ଯୁଦ୍ଧକୁ ଦୃଷ୍ଟିରେ ରଖି ଚୀନ ପ୍ରସ୍ତୁତି କରୁଥିବା ସେମାନେ ଆଶଙ୍କା କରିଛନ୍ତି ।

ଚୀନକୁ ନେଇ ଭାରତର ଚିନ୍ତା ଦିନକୁ ଦିନ ବଢିଚାଲିଛି । ଚୀନ ଖୋଲାଖୋଲିଭାବେ ଭାରତ ପ୍ରତି ଶତ୍ରୁତା ଆଚରଣ କରୁଛି । ବିଶେଷକରି ଚୀନ ଭାରତ ମଧ୍ୟରେ ସୀମା ବିବାଦ ଥିବାରୁ ଦୁଇ ଦେଶର ସମ୍ପର୍କ ସବୁବେଳେ ଆହ୍ଵାନମୂଳକ ରହିଆସିଛି । ଏହାଛଡ଼ା ଚୀନ ସବୁବେଳେ ପାକିସ୍ତାନକୁ ସମର୍ଥନ କରୁଥିବାରୁ ଭାରତର ମୁଣ୍ଡବ୍ୟଥା ବଢିଯାଇଛି । ଏହା ଦୃଷ୍ଟିରେ ରଖି ଭାରତ ମଧ୍ୟ ସୀମାରେ ନିଜର ଶକ୍ତି ବୃଦ୍ଧି କରୁଛି ।

ଅରୁଣାଚଳ ପ୍ରଦେଶରେ ଚୀନକୁ ଲାଗିଥିବା ସୀମାରେ ଆମେରିକା ନିର୍ମିତ ଏମ୭୭୭ ଅଲଟ୍ରା ଲାଇଟ ହାଓ୍ଵିଜର ଗନ ମୁତୟନ କରିବାକୁ ଭାରତୀୟ ସେନା ନିଷ୍ପତ୍ତି ନେଇଛି । ୧୫୫ ଏମଏମ/୩୯ କାଲିବର ହାଓ୍ଵିଜର ଅପେକ୍ଷାକୃତ ହାଲକା ହୋଇଥିବାରୁ ଏହାକୁ ଖୋଲି ହେଲିକାପ୍ଟର ମାଧ୍ୟମରେ ଉଚ୍ଚ ପାର୍ବତ୍ୟାଞ୍ଚଳରେ ପହଞ୍ଚାଇହେବ । କେବଳ ଏତିକି ନୁହେଁ, ଚୀନ ସୀମାରେ ଭାରତ ଆମେରିକା ନିର୍ମିତ ଚିନୁକ ହେଭିଲିଫଟ ହେଲିକାପ୍ଟର ମଧ୍ୟ ମୁତୟନ କରିବ । ଏପରିକି ରାଫେଲ ବିମାନ ଆସିବାପରେ ତାହା ମଧ୍ୟ ମୁତୟନ ହୋଇପାରେ । ସବୁପରିସ୍ଥିତିର ମୁକାବିଲା ପାଇଁ ନବନିର୍ମିତ ଲଢୁଆ ମାଉଣ୍ଟେନ ଷ୍ଟ୍ରାଇକ କର୍ପସ ମଧ୍ୟ ମୁତୟନ କରାଯାଉଛି ।

ସମ୍ବନ୍ଧିତ ଖବର