ନୂଆଦିଲ୍ଲୀ : ଗତ ୯ ତାରିଖରେ ଅରୁଣାଚଳପ୍ରଦେଶର ତଓ୍ବାଙ୍ଗଠାରେ ଭାରତ ଓ ଚୀନ ସୈନ୍ୟଙ୍କ ହୋଇଥିବା ସଂଘର୍ଷ ସଂପର୍କରେ ଆଉ କିଛି ତଥ୍ୟ ସେନା ସୁତ୍ରରୁ ଜଣାପଡ଼ିଛି । ଚୀନ ସେନା (ପିଏଲଏ) ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମ କରି ୟାଙ୍ଗସେଠାରେ ଥିବା ହୋଲି ଜଳପ୍ରପାତ ନିକଟରେ ଏକ ଅବଜରଭେସନ ପୋଷ୍ଟ ( ପ୍ରହରା ଚୌକି) ସ୍ଥାପନ କରିବାକୁ ଯୋଜନା କରୁଥିଲା । ଏହା ଦ୍ବାରା ଶୀତ ଋତୁରେ ଏଲଏସିର ସୁରକ୍ଷା ପାଇଁ ଭାରତୀୟ ସେନା କି ବ୍ୟବସ୍ଥା କରୁଛି ତାହା ଜାଣିବାକୁ ଚୀନ ପାଇଁ ସହଜ ହୋଇଥାନ୍ତା । କିନ୍ତୁ ଭାରତୀୟ ସେନା ସେମାନଙ୍କ ଏହି ଉଦ୍ୟମକୁ ପଣ୍ଡ କରିଦେଇଛି ।

Advertisment

ନିଜ ନାମ ଗୋପନ ରଖି ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଗଲଓ୍ବାନ ସଂଘର୍ଷ ବେଳେ ଚୀନ ସେନା ଭାରତୀୟ ସେନାକୁ ଆଶ୍ଚର୍ଯ୍ୟ କରିଦେଇଥିଲା । କିନ୍ତୁ ଏଥର ଭାରତୀୟ ସେନା ପ୍ରସ୍ତୁତ ରହିଥିଲା ଓ ସେମାନଙ୍କ ଆକ୍ରମଣକୁ ପଣ୍ଡ କରିଦେଇଥିଲା ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୮ ଓ ୯ ତାରିଖ ମଧ୍ୟରାତିରେ  ପ୍ରାୟ ୩୦୦ ଚୀନ ସୈନ୍ୟ ଭାରତୀୟ ଅଂଚଳରେ ଅନୁପ୍ରବେଶ କରିବା ପରେ ସେଠାରେ ଥିବା ଭାରତୀୟ ସୈନ୍ୟଙ୍କ ସହ ପ୍ରଥମେ ଯୁକ୍ତିତର୍କ ଓ ପରେ ହାତାହାତି ହୋଇଥିଲେ । ଏହି ସମୟରେ ଖବର ପାଇ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ଭାରତୀୟ ସୈନ୍ୟମାନେ ସେଠାରେ ପହଞ୍ଚି ଚୀନ ସୈନ୍ୟଙ୍କୁ ଘେରିଯାଇଥିଲେ । ଏହି ହାତାହାତି ସଂଘର୍ଷରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଛନ୍ତି ।