ପ୍ରଥମ କରି ୩ ମହାକାଶଚାରୀଙ୍କୁ ନେଇ ନୂତନ ‘ସ୍ପେସ୍‌ ଷ୍ଟେସନ୍‌’ ଅଭିମୁଖେ ଛୁଟିଲା ଚୀନା ରକେଟ୍‌

ଜିଉକ୍ୟୁଆନ୍‌: ଚୀନ୍‌ ତା’ର ନୂତନ ‘ସ୍ପେସ୍‌ ଷ୍ଟେସନ୍‌ ସିଆଙ୍ଗୋଙ୍ଗ୍‌’ ଅଭିମୁଖେ ଆଜି ପ୍ରଥମ କରି ତିନିଜଣ ମହାକାଶଚାରୀଙ୍କୁ ‘ଲଙ୍ଗ୍‌ ମାର୍ଚ-ଟୁଏଫ୍‌’ ରକେଟ୍‌ ଯୋଗେ ପ୍ରେରଣ କରିଛି।

‘ଶେନ୍‌ଝୌ ୧୨’ ନାମକ ଏହି ମହାକାଶଯାନକୁ ଧାରଣ କରି ମହାକାଶକୁ ଯାତ୍ରା କରିଥିବା ରକେଟ୍‌ ‘ଲଙ୍ଗ୍‌ ମାର୍ଚ-ଟୁଏଫ୍‌’କୁ ପୂର୍ବ ନିର୍ଦ୍ଧାରିତ ବେଜିଙ୍ଗ୍ ସମୟ ସକାଳ ୯:୨୨ରେ (ଭାରତୀୟ ସମୟ ସକାଳ ୬:୫୨) ଉତ୍ତରପୂର୍ବ ଚୀନ୍‌ସ୍ଥିତ ଗୋବି ମରୁଭୂମିରେ ଥିବା ଜିଉକ୍ୟୁଆନ୍‌ ଉତ୍‌କ୍ଷେପଣ କେନ୍ଦ୍ରରୁ ‘ବ୍ଲାଷ୍ଟ୍‌ଅଫ୍‌’ ବା ଉତ୍‌କ୍ଷେପଣ କରାଯାଇଛି।

ଉତ୍‌କ୍ଷେପିତ ହେବାର ପ୍ରାୟ ୧୦ ମିନିଟ୍‌ ବାଦ ରକେଟ୍‌ କକ୍ଷପଥରେ ପହଞ୍ଚିଥିଲା ଏବଂ ମହାକାଶଯାନଟି ରକେଟ୍‌ରୁ ପୃଥକ୍ ହୋଇଯାଇଥିଲା।

Image Courtesy of 24 News HD

ରାଷ୍ଟ୍ରାୟତ ପ୍ରସାରଣ ସଂସ୍ଥାନ ‘ସିସିଟିଭି’ ଏହି ମହାକାଶଯାନର ଅଭ୍ୟନ୍ତର ଦୃଶ୍ୟ ‘ଲାଇଭ୍‌’ ପ୍ରସାରଣ କରିଥିଲା। ସେଥିରେ ଥିବା ୩ଜଣ ମହାକାଶଚାରୀ ସେମାନଙ୍କ ହେଲ୍‌ମେଟ୍‌ କାଚ ଉଠାଇ ଦେଇଥିଲେ। ଜଣେ ମହାକାଶଚାରୀ ମୁରୁକି ହସିବା ସହ କ୍ୟାମେରା ସାମ୍ନାରେ ହାତ ହଲାଉଥିଲେ। ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ଶୂନ୍ୟତା ଦେଖାଇବା ଲାଗି ଆଉ ଜଣେ ମହାକାଶଚାରୀ ନିଜ କୋଳ ଉପରେ କଲମଟିଏ ଉଡ଼ନ୍ତା ଅବସ୍ଥାରେ ରଖିବା ସହ ମହାକାଶଯାନର ‘ମାନୁଆଲ୍‌’ ଖେଳାଉଥିଲେ।

ଏହି ଅଭିଯାନର ନେତୃତ୍ବ ନେଇଛନ୍ତି ୫୬ ବର୍ଷିୟ ମହାକାଶଚାରୀ ନିଏ ହାଇଶେଙ୍ଗ୍। ତାଙ୍କ ସାଥିରେ ଯାଇଥିବା ଅନ୍ୟ ଦୁଇଜଣ ମହାକାଶଚାରୀ ହେଉଛନ୍ତି ଲିଉ ବ‌ୋମିଙ୍ଗ୍ ଏବଂ ସାଙ୍ଗ୍‌ ହୋଙ୍ଗ୍‌ବୋ।

ସମ୍ବନ୍ଧିତ ଖବର