ଶିଶୁ ଓ କିଶୋରଙ୍କ ଦେହରେ କୋଭିଡ୍-୧୯ ଟିକା ପରୀକ୍ଷା କରିବ ଚୀନ୍‌ର ‘ସିନୋଭ୍ୟାକ୍ ବାୟୋଟେକ୍’

ନୂଆଦିଲ୍ଲୀ: ଏ ମାସ ଶେଷ ଭାଗ ଆଡ଼କୁ ଶିଶୁ ଓ କିଶୋରଙ୍କ ଦେହରେ କୋଭିଡ୍-୧୯ ଟିକା ପରୀକ୍ଷା ଆରମ୍ଭ କରିବା ନିମନ୍ତେ ଚୀନ୍‌ର ‘ସିନୋଭ୍ୟାକ୍ ବାୟୋଟେକ୍’ ଯୋଜନା କରୁଛି।

ବୁଧବାର ପ୍ରକାଶିତ ରେଜିଷ୍ଟ୍ରେସନ୍ ରେକର୍ଡ ଅନୁସାରେ, ତିନିରୁ ସତର ବର୍ଷ ବୟସ ମଧ୍ୟଞରେ ୫୫୨ ଜଣ ସ୍ବାସ୍ଥ୍ୟବାନ ଅଂଶଗ୍ରହଣକାରୀଙ୍କୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ସିନୋଭ୍ୟାକ୍‌ର ସମନ୍ବିତ ‘କରୋନାଭ୍ୟାକ୍‌’ର ଡୋଜ୍ ଦିଆଯିବ। ସେପ୍ଟେମ୍ବର ୨୮ ତାରିଖରେ ଉତ୍ତର ଚୀନ୍ ପ୍ରଦେଶ ହେବେଇରେ ଏହି ପରୀକ୍ଷା ଆରମ୍ଭ ହେବ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି, ଏପର୍ଯ୍ୟନ୍ତ ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି ଯେ, ପ୍ରାପ୍ତ ବୟସ୍କମାନଙ୍କ ତୁଳନାରେ ଏହି ଭୂତାଣୁ ସାଧାରଣତଃ ପିଲାମାନଙ୍କୁ ସାମାନ୍ୟ ଆକ୍ରାନ୍ତ କରୁଛି। କିନ୍ତୁ, କେତେ‌କ କ୍ଷେତ୍ରରେ ଆକ୍ରାନ୍ତ ପିଲା ଆଇସିୟୁ ଆବଶ୍ୟକ କରୁଥିବା ରିପୋର୍ଟ ମଧ୍ୟ ହୋଇଛି।

Image Courtesy of Deccan Herald

ଚୀନ୍ ନିୟନ୍ତ୍ରଣକାରୀ ଏହି ପରୀକ୍ଷାକୁ ଅନୁମୋଦନ କରିଥିବା କଥା ସିନୋଭ୍ୟାକ୍‌ର ମୁଖପାତ୍ର କହିଛନ୍ତି। ଏହି ଟିକା ପ୍ରାପ୍ତ ବୟସ୍କମାନଙ୍କ ଶରୀରରେ ପରୀକ୍ଷାର ଚୂଡ଼ାନ୍ତ ଅଧ୍ୟୟନ ପର୍ଯ୍ୟାୟରେ ପହଞ୍ଚିଛି। ଚୀନ୍ ବ୍ୟତୀତ ‘କରୋନାଭ୍ୟାକ୍’ର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ବ୍ରଜିଲ୍, ‌ଇଣ୍ଡୋନେସିଆ ଏବଂ ତୁର୍କୀ ଆଦି ଦେଶରେ କରାଯାଉଛି। କମ୍ପାନିର କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗଙ୍କର ୯୦%ଙ୍କୁ ମଧ୍ୟ ଏହି ଟିକା ଦିଆଯାଇଛି।

ଏ ମାସ ପ୍ରାରମ୍ଭରେ ସିନୋଭ୍ୟାକ୍ କହିଥିଲା ଯେ, ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ‘କରୋନାଭ୍ୟାକ୍’ ନିରାପଦ ମନେହେଉଛି ଏବଂ ସେମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି କରୁଛି। କିନ୍ତୁ, ତରୁଣମାନଙ୍କ ଦେହରେ ଏହି ଟିକା ବୟସ୍କ ବ୍ୟକ୍ତିଙ୍କ ଠାରୁ କିଛି କମ୍ ମାତ୍ରାରେ ଆଣ୍ଟିବଡି ସୃଷ୍ଟି କରୁଛି। ଏକଥା ପ୍ରାଥମିକ ଓ ମାଧ୍ୟମିକ ପରୀକ୍ଷାରୁ ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର