ୱାସିଂଟନ: ଭାରତ ଓ ଜାପାନ ସମେତ ଅନେକ ଦେଶକୁ ଟାର୍ଗେଟ କରି ଚୀନ୍ ତା’ର ଗୁପ୍ତଚର ବେଲୁନମାଳା ଅପରେଟ୍ କରିଆସିଛି। ନିକଟରେ ଆମେରିକା ସେନା ନିଜ ଦେଶର ପରମାଣୁ କେନ୍ଦ୍ର ସମେତ ଅନେକ ସମ୍ବେଦନଶୀଳ ସ୍ଥାନ ଉପରେ ଉଡ଼ୁଥିବା ଏପରି ଏକ ରହସ୍ୟପୂର୍ଣ୍ଣ ବେଲୁନକୁ ଆକାଶମାର୍ଗରୁ ଗୁଳିମାରି ଖସାଇ ଦେବା ପରେ ଏହି ତଥ୍ୟ ସାମନାକୁ ଆସିଛି। ଗତ ଶନିବାର ସାଉଥ୍ କରୋଲିନା ଉପକୂଳରେ ଆଟଲାଣ୍ଟିକ୍ ମହାସାଗର ଉପରେ ଉକ୍ତ ବେଲୁନକୁ ଖସାଇଦେବା ପରେ ଆମେରିକା ସମସ୍ତ ମିତ୍ରରାଷ୍ଟ୍ରକୁ ଏ ସମ୍ବନ୍ଧରେ ହସ୍ତଗତ ହୋଇଥିବା ତଥ୍ୟ ଅବଗତ କରାଇଛି। ସୋମବାର ଆମେରିକା ବିଦେଶ ମନ୍ତ୍ରଣାଳୟର ଉପମନ୍ତ୍ରୀ ୱେଣ୍ଡି ସର୍ମ ୱାସିଂଟନସ୍ଥିତ ପ୍ରାୟ ୪୦ଟି ଦେଶର ଦୂତାବାସ କର୍ମକର୍ତ୍ତାଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ମଙ୍ଗଳବାର ୱାସିଂଟନ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଅନେକ ବର୍ଷ ହେଲା ଚୀନ୍ ଏପରି ବେଲୁନ ଅପରେଟ୍ କରିଆସୁଛି। ଚୀନ୍ର ଦକ୍ଷିଣ ଉପକୂଳସ୍ଥ ହାଇନାନ ପ୍ରଦେଶରୁ ଆଂଶିକଭାବେ ଏହାକୁ ଅପରେଟ୍ କରାଯାଉଥିବା ବେଳେ ଏହି ବେଲୁନ ଦ୍ବାରା ଜାପାନ, ଭାରତ, ଭିଏତନାମ, ତାଇୱାନ ଓ ଫିଲିପିନ୍ସ ସମେତ ବିଭିନ୍ନ ଦେଶର ସାମରିକ ଆସେଟ୍ ସମ୍ବନ୍ଧରେ ଚୀନ୍ ତଥ୍ୟ ସଂଗ୍ରହ କରୁଥିଲା। ଭାରତ ସମେତ ୫ଟି ଦେଶ ଉପରେ ଏହି ବେଲୁନ ଉଡ଼ୁଥିବାର ଲକ୍ଷ୍ୟ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି।
ଚୀନ୍ର ଏହି ବେଲୁନଗୁଡ଼ିକ ଗୁପ୍ତଚର ଓ ଗୁଇନ୍ଦା କାମରେ ନିୟୋଜିତ ହୋଇଥିବା ବେଳେ ତାହା ଅନ୍ୟ ଦେଶଗୁଡ଼ିକର ସାର୍ବଭୌମତ୍ବର ଉଲ୍ଲଂଘନ କରିଛି ବୋଲି ଆମେରିକାର ଜନୈକ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ଗତ କିଛି ବର୍ଷ ଭିତରେ ହାୱାଇ, ଫ୍ଲୋରିଡ଼ା, ଟେକ୍ସାସ ଓ ଗୁଆମଠାରେ ଅନ୍ତତଃ ୪ଟା ବେଲୁନ ଉଡ଼ୁଥିବାର ଠାବ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନକାଳରେ ଏପରି ତିନିଟା ବେଲୁନ ଠାବ କରାଯାଇଥିଲେ ମଧ୍ୟ ଏବେ ହିଁ ଜଣାପଡ଼ିଲା ଯେ ଏଗୁଡ଼ିକ ଚାଇନିଜ୍ ସର୍ଭେଲାନ୍ସ ଏୟାରସିପ୍ ବୋଲି। ମଙ୍ଗଳବାର ପେଣ୍ଟାଗନ ପକ୍ଷରୁ ଉଚ୍ଚ ଆକାଶରେ ଉଡ଼ୁଥିବା ଗୁପ୍ତଚର ବେଲନର ଅନେକ ଚିତ୍ର ସେୟାର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/654654gj654gj65gjddgj.jpg)