ଚୀନର ଏହି ହାଇପରସୋନିକ୍‌ କ୍ଷେପଣାସ୍ତ୍ରର ଜବାବ ଆମେରିକା ପାଖରେ ବି ନାହିଁ

ରେଞ୍ଜରେ ଆସୁଛି ଆମେରିକା, ଭାରତ ଓ ଜାପାନର ସବୁ ଅଞ୍ଚଳ

ବେଜିଂ: ଚୀନ ଦ୍ୱାରା ନିର୍ମାଣ କରାଯାଇଥିବା ଏକ ନୂଆ ପ୍ରକାରର କ୍ଷେପଣାସ୍ତ୍ରକୁ ନେଇ କେବଳ ଭାରତ ନୁହେଁ ଆମେରିକା ଓ ଜାପାନର ମୁଣ୍ଡବ୍ୟଥା ବଢିଯାଇଛି । କାରଣ ଏହି ହାଇପରସୋନିକ୍‌ କ୍ଷେପଣାସ୍ତ୍ରଟି ସବୁପ୍ରକାର କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାକୁ ଭେଦକରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବ ।

ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଡିଏଫ-୧୭ ନାମକ ଏହି କ୍ଷେପଣାସ୍ତ୍ରଟି ଆମେରିକା, ଭାରତ ଓ ଜାପାନର ପ୍ରମୁଖ ଲକ୍ଷ୍ୟଗୁଡ଼ିକରେ ଅତି ନିର୍ଭୁଲଭାବେ ମାଡ କରିପାରିବ । କିଛି ଦିନ ପୂର୍ବେ ଜାପାନର ଏକ ଲୋକପ୍ରିୟ ପତ୍ରିକା ଦି ଡିପ୍ଲୋମାଟ୍‌ରେ ମଧ୍ୟ ଆମେରିକା ଗୁଇନ୍ଦା ସଂସ୍ଥା ସିଆଇଏ ସୁତ୍ରରୁ ମିଳିଥିବା ତଥ୍ୟକୁ ଆଧାର କରି ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ କୁହାଯାଇଛି ଯେ ଡିଏଫ-୧୭ ଏକ ପ୍ରକାରର ହାଇପରସୋନିକ୍‌ ଗ୍ଲାଇଡ୍‌ ଭେହିକ୍ଲ ବା ଏଚଜିଭି କ୍ଷେପଣାସ୍ତ୍ର ।

ଚାଇନାର ରକେଟ ଫୋର୍ସ ପକ୍ଷରୁ ଗତ ବର୍ଷ ନଭେମ୍ବର ୧ ଓ ତାହାର ଦୁଇ ସପ୍ତାହପରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ବେଳେ ଏହି କ୍ଷେପଣାସ୍ତ୍ରଟି ପ୍ରାୟ ୧୪ ଶହ କିଲୋମିଟର ଶବ୍ଦର ୧୦ ଗୁଣ ବେଗରେ ଗତି କରିଥିଲା ଓ ନିଜର ଲକ୍ଷ୍ୟ ଭେଦ କରିଥିଲା । ତେବେ ଏହା ସର୍ବାଧିକ ୧୪ ହଜାର କିଲୋମିଟର ପର୍ଯ୍ୟନ୍ତ ଯାଇ ସଠିକତାର ସହିତ ଲକ୍ଷ୍ୟଭେଦ କରିପାରିବ । ଫଳରେ ଆମେରିକା, ଜାପାନ ଓ ଭାରତର ପ୍ରାୟ ସବୁ ଅଂଚଳ ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ଆସୁଛି । ଜଣେ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଚୀନର ଏହି କ୍ଷେପଣାସ୍ତ୍ରଟି ଆମେରିକାର ଅଭେଦ୍ୟ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ‘ଥାଡ୍‌ ସିଷ୍ଟମ’କୁ ଭେଦ କରିବାକୁ ସକ୍ଷମ । ଆସନ୍ତା ୨୦୨୦ ସୁଦ୍ଧା ଚୀନ ଏହି କ୍ଷେପଣାସ୍ତ୍ରକୁ ସେନାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ।

ସମ୍ବନ୍ଧିତ ଖବର