ଲଦାଖ ଦୁଃସାହସ ପଛରେ ଚୀନ୍‌ର ୮ ଶୀର୍ଷ କମାଣ୍ଡର

ନୂଆଦିଲ୍ଲୀ: ଭାରତର ଲଦାଖ ଓ ଚୀନ୍‌ର ଅକ୍ଷୟ ଚୀନ୍‌ ମଧ୍ୟରେ ଥିବା ୧୫୯୭ କିମି ଦୀର୍ଘ ସୀମାର ଯାବତୀୟ ଘଟଣାବଳୀକୁ ଚୀନ୍‌ର ୮ ଜଣ ପ୍ରମୁଖ ସାମରିକ ଅଧିକାରୀ ହିଁ ପରିଚାଳନା କରୁଥିବା ଜଣାଯାଇଛି। କିଛି ମାସ ତଳେ ଚୀନୀ ସେନା ସୀମାରେ ଦେଖାଇଥିବା ଅତିକ୍ରମଣ ପଛରେ ଏହି କମାଣ୍ଡରମାନଙ୍କର ହିଁ ପ୍ରତ୍ୟକ୍ଷ ଭୂମିକା ରହିଥିଲା। ସେମାନଙ୍କ ଭିତରେ ଦୀର୍ଘ ୨୦ ବର୍ଷ ହେଲା ତିବ୍ଦତ ମାମଲା ସମ୍ଭାଳୁଥିବା ଜଣେ ଆରବ ଭାଷୀ ଜେନେରାଲଙ୍କ ସମେତ ଚାରି ଜଣ ଲେ. ଜେନେରାଲ ଓ ତିନି ଜଣ ଡିଭିଜନ କମାଣ୍ଡର ରହିଛନ୍ତି। ସମ୍ପ୍ରତି ଭାରତୀୟ ଯବାନ ଓ ଚୀନୀ ସେନା ମଧ୍ୟରେ ଜାରି ରହିଥିବା ମୁହାଁମୁହିଁ ପରିସ୍ଥିତି ଆଗାମୀ ଶୀତଋତୁ ଡେଇଁଯିବାର ସମସ୍ତ ସମ୍ଭାବନା ରହିଛି। ବିଶେଷ କରି ଭାରତ ସହ ଚୀନ୍‌ର ଏଭଳି ଦୁଃସାହସିକ ଖେଳର ଗୋଟି ଚଳାଉଥିବା ସେହି କମାଣ୍ଡରମାନଙ୍କ ସମ୍ପର୍କରେ ଜାଣିବାକୁ ପାଠକଙ୍କର ଆଗ୍ରହ ବଢ଼ିବା ସ୍ବାଭାବିକ।

ସେମାନଙ୍କ ଭିତରେ ମୁଖ୍ୟ ହେଉଛନ୍ତି ଚୀନୀ ୱେଷ୍ଟର୍ଣ୍ଣ ଥେଟର କମାଣ୍ଡର ୬୫ ବର୍ଷୀୟ ଜେନେରାଲ ଝାଓ ଝୋଙ୍ଗକି ଯିଏ କି ସୈନିକ ଶକ୍ତି ପରୀକ୍ଷଣର ଜଣେ ବିଶେଷଜ୍ଞ ଭାବେ ବିବେଚିତ। ୧୯୭୯ ମସିହା ଭିଏତ୍‌ନାମ ଯୁଦ୍ଧ ବେଳେ ସେ ନିଜର ଦକ୍ଷତାର ପ୍ରମାଣ ଦେଇ ଦେଶ ପାଇଁ ଅନେକ ସ୍ବତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ପରିଚାଳନା କରି ଆସିଛନ୍ତି। ସେହିପରି ଅନ୍ୟତମ ବିନ୍ଧାଣି ହେଲେ ୱେଷ୍ଟର୍ଣ୍ଣ ଥେଟର କମାଣ୍ଡ୍‌ ଅଧୀନ ପଦାତିକ ବାହିନୀର ଲେ. ଜେନେରାଲ ଜୁ କିଲିଂ। ସେହିପରି ୱେଷ୍ଟର୍ଣ୍ଣ ଥେଟର କମାଣ୍ଡ୍‌ ଅଧୀନ ଚୀନୀ ବାୟୁସେନାର ଲେ. ଜେନେରାଲ ଵାଙ୍ଗ୍‌ କିଆଙ୍ଗ ଚାରିଟି ଯୁଦ୍ଧବିମାନ ଡିଭିଜନ, ଗୋଟିଏ ପରିବହନ ଡିଭିଜନ ଓ ଗୋଟିଏ ବୋମାମାଡ଼ ଡିଭିଜନର ନେତୃତ୍ବ ନେଇ ସୀମାରେ ଚୀନୀ ସେନାକୁ ପର୍ଯ୍ୟାପ୍ତ ବାୟୁବଳ ଯୋଗାଉଛନ୍ତି। ଅପରପକ୍ଷେ, ତିବ୍ଦତ ସାମରିକ ଜିଲ୍ଲାର କମାଣ୍ଡର ୫୭ ବର୍ଷୀୟ ଲେ. ଜେନେରାଲ୍‌ ହୈଜିଆଙ୍ଗ ଵାଙ୍ଗ୍‌ଙ୍କର ପାଟ୍ରୋଲିଂ ଏବଂ ଶତ୍ରୁପକ୍ଷର ସେନାବଳ ଆକଳନରେ ଖୁବ୍ ଦକ୍ଷତା ରହିଛି। ସେହିପରି ଜିଞ୍ଜିଆଙ୍ଗ ଜିଲ୍ଲା ସାମରିକ କମାଣ୍ଡର ୫୮ ବର୍ଷୀୟ ଲେ. ଜେନେରାଲ ଲିଉ ଵାଙ୍ଗଲଙ୍ଗଙ୍କର ସାମଗ୍ରିକ ସାମରିକ ସକ୍ତି ଆକଳନ ହିଁ ଜେନେରାଲ ଝୋଙ୍ଗକିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇ ଆସିଛି। ଅନ୍ୟତମ କମାଣ୍ଡର ହେଲେ ଦକ୍ଷିଣ ଜିଞ୍ଜିଆଙ୍ଗ ସାମରିକ ଜିଲ୍ଲାର ୫୭ ବର୍ଷୀୟ ମେଜର ଜେନେରାଲ ଲିଉ ଲିନ୍‌ ଯିଏ କି ସେନା ପ୍ରତ୍ୟାହାର ପ୍ରକ୍ରିୟା ସହ ଜଡ଼ିତ ରହିଛନ୍ତି। ସେହିପରି କିଙ୍ଘାଇ ସାମରିକ ଜିଲ୍ଲା କମାଣ୍ଡର ମେଜର ଜେନେରାଲ ଲିଉ ଜେପିଙ୍ଗ ସାମରିକ ପ୍ରଯୋଜନା ଓ ନିର୍ମାଣ ସମ୍ପର୍କରେ ବେଶ୍‌ ଦକ୍ଷତା ରଖିଛନ୍ତି। ଅନ୍ୟତମ କମାଣ୍ଡର ହେଲେ ସିଚୁଆନ୍‌ ସାମରିକ ଜିଲ୍ଲାର ୫୯ ବର୍ଷୀୟ ମେଜର ଜେନେରାଲ କ୍ୟୁ ଜିନ୍ୟୋଙ୍ଗ ଯାହାଙ୍କର ସାମରିକ ଅନୁଭୂତି ଚୀନୀ ସୈନିକଙ୍କ ମନରେ ଅଫୁରନ୍ତ ଉତ୍ସାହ ଭରିଦେଇଥାଏ।

ସମ୍ବନ୍ଧିତ ଖବର