ଦେଖନ୍ତୁ ଭିଡିଓ: ଉଡ଼ାଣ ବେଳେ ରନ୍‌ୱେରେ ବୁଲିପଡ଼ି ଜଳି ଉଠିଲା ୧୨୨ ଯାତ୍ରୀ ଥିବା ଚୀନା ବିମାନ

ବେଜିଙ୍ଗ୍‌: ଆଜି ସକାଳେ ଚୀନ୍‌ର ଦକ୍ଷିଣପୂର୍ବାଞ୍ଚଳ ନଗରୀ ଚୋଙ୍ଗ୍‌କ୍ବିଙ୍ଗ୍‌ରେ ଉଡ଼ାଣ ଆରମ୍ଭ କରୁଥିବା ବେଳେ ଗୋଟାଏ ବିମାନ ହଠାତ୍‌ ଉଡ଼ାଣ ବନ୍ଦ କରିଦେବାରୁ ରନ୍‌ୱେରେ ବୁଲିପଡ଼ି ଜଳିଉଠିଥିବାର ଭିଡିଓ ଏବେ ଭାଇରାଲ୍‌ ହେଉଛି।

ପ୍ରାପ୍ତ ସୂଚନା ଅନୁସାରେ, ନିଆଁ ଲାଗିଯାଇଥିବା ଚୀନ୍‌ର ‘ତିବ୍ବତ ଏୟାର୍‌ଲାଇନ୍‌ସ୍‌’ର ଏୟାର୍‌ବସ୍‌ ‘ଏ୩୧୯’ ବିମାନରେ ଥିବା ୧୨୨ଜଣ ଯାତ୍ରୀ ଓ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରାଯାଇଛି।

ଏ ସଂକ୍ରାନ୍ତ ବିବୃତିରେ ଏୟାର୍‌ଲାଇନ୍‌ କହିଛି ଯେ, କାହାରି ମୃତ୍ୟୁ ଘଟିନାହିଁ। ୧୧୩ଜଣ ଯାତ୍ରୀ ଓ ୯ଜଣ ବିମାନ ପରିଚାରକ ଖାଲି ସାମାନ୍ୟ ଆହତ ହୋଇଛନ୍ତି।

ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଉକ୍ତ ଏହି ଘଟଣାର ଭିଡିଓରେ ଦେଖାଯାଉଛି, ‘ଏୟାର୍‌ ଚାଇନାର’ର ଶାଖା ‘ତିବ୍ବତ ଏୟାର୍‌ ଲାଇନ୍‌ସ୍‌’ର ବିମାନର ବାମ ପାର୍ଶ୍ବରୁ ଭୀଷଣ ଧୂଆଁ ଓ ଅଗ୍ନି ଶିଖା ଉଠୁଥିବା ବେଳେ ଯାତ୍ରୀ ଓ ପରିଚାରକମାନେ ବାହାରି ଆସୁଛନ୍ତି।

୯ ବର୍ଷ ପୁରୁଣା ଏହି ବିମାନଟି ହେଉଛି ‘ଏ୩୨୦’ ବର୍ଗର ‌ସବୁଠୁ ଛୋଟ ‘ଏ୩୧୯’ ବିମାନ। ‘ଜେନେରାଲ୍‌ ଇଲେକ୍ଟ୍ରିକ୍‌’ ଏବଂ ‘ସାଫ୍ରାନ୍‌’ର  ମିଳିତ ଉଦ୍ୟୋଗ ‘ସିଏଫ୍‌ଏମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ଦ୍ବାରା ନିର୍ମିତ ‘ସିଏଫ୍‌ଏମ୍‌୫୬’ ଇଞ୍ଜିନ ବଳରେ ଏହି ବିମାନଟି ଉଡ଼େ।

ବିମାନରେ ଅଗ୍ନକାଣ୍ଡର ୧ ମିନିଟ୍‌ ପରେ କୌଣସି କାରଣ ନ ଦର୍ଶାଇ ଆଜି ସକାଳ ୬:୨୪ରେ ବିମାନ ବନ୍ଦର ତା’ର ଗୋଟିଏ ରନ୍‌ୱେ ବନ୍ଦ କରିଥିଲା ଏବଂ ପୂର୍ବାହ୍ନ ୯:୩୦ରେ ତାହାକୁ ପୁଣି ଖୋଲାଯାଇଛି।

ସମ୍ବନ୍ଧିତ ଖବର