ମୁହଁରେ ଶାନ୍ତି କଥା କହୁଥିଲେ ମଧ୍ୟ ସୀମାରେ ରଣସଜ୍ଜା ଚଳାଇଛି ଚୀନ

ନୂଆଦିଲ୍ଲୀ : ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁନ ୱେଡଙ୍ଗ୍‌ ଶାନ୍ତିର କଥା କହୁଥିବାବେଳେ ଚୀନସେନାର ଗତିବିଧିରୁ ତାହା ପ୍ରମାଣିତ ହେଉନାହିଁ । ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରୁ ଚୀନ ନିଜର ସେନା ଅପସାରଣ କରିଥିଲେ ମଧ୍ୟ କେତେକ କ୍ଷେତ୍ରରେ ଏବେ ବି ନିଜର ସୈନ୍ୟବଳ ବଢାଇଚାଲିଛି ।
ଏଲଏସି ନିକଟରେ ଥିବା ହଟ ସ୍ପ୍ରିଙ୍ଗ ଓ ଆଉକେତେକ ଅଞ୍ଚଳରେ ଚୀନ ସେନା ନିଜର ୬ଷ୍ଠ ମେକାନାଇଜଡ ଇନଫାଣ୍ଟ୍ରି ଡିଭିଜନକୁ ପ୍ରସ୍ତୁତ ରଖିଛି । ଏସବୁ ଅଞ୍ଚଳରେ ଆର୍ଟିଲାରୀ ଗନଗୁଡ଼ିକୁ ସଜାଇ ରଖାଯାଇଛି । ଏଲଏସିର ଗଲଓ୍ଵାନ ଘାଟି, ଜୀବନ ନାଲା, ଚିପ ଚାପ ଘାଟି ନିକଟରେ ଚୀନ ସେନା ନିଜର ୧୭ ଓ ୧୮ ମେକାନାଇଜଡ୍‌ ଇନଫ୍ରାଣ୍ଟ୍ରି ଡିଭିଜନର ଲଢୁଆ ଯାନଗୁଡ଼ିକୁ ପ୍ରସ୍ତୁତ ରଖିଛି । ଏସବୁ ଅଞ୍ଚଳରେ ବିମାନ ବିଧ୍ୱଂସୀ ତୋପକୁ ମଧ୍ୟ ମୁତୟନ କରାଯାଇଛି । ଏସବୁକୁ ଦେଖିଲେ ଲାଗୁନାହିଁ ଯେ ଚୀନ ସେନା ଶାନ୍ତି ଚାହିୁଁଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ରହିଛି ।
ଗତକାଲି ଚୀନ ରାଷ୍ଟ୍ରଦୂତ ୱେଡଙ୍ଗ୍‌ କହିଥିଲେ ଯେ ଭାରତ ଓ ଚୀନ ପରସ୍ପରର ଶତ୍ରୁ ହେବା ବଦଳରେ ପରସ୍ପରର ସହଯୋଗୀ ହେବା ଉଚିତ । ଦୁଇଦେଶ ମଧ୍ୟରେ ଉତ୍ତେଜନା ବଦଳରେ ଶାନ୍ତି ରହିବା ଆବଶ୍ୟକ । ଦୁଇଦେଶ ମଧ୍ୟରେ ଥିବା ସୀମା ବିବାଦ ଜଟିଳ ଓ ସଂବେଦନଶୀଳ ରହିଛି । କିନ୍ତୁ ଆମକୁ ଶାନ୍ତିପୂର୍ଣ୍ଣଭାବେ ବସି ଏହାର ଏକ ଗ୍ରହଯୋଗ୍ୟ ସମାଧାନ ବାହାର କରିବାକୁ ହେବ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଥିବା ସଂଦେହକୁ ଦୂର କରିବାକୁ ହେବ ।

ସମ୍ବନ୍ଧିତ ଖବର