ଜେରୁଜେଲମ୍: ରବିବାର ଦିନ ତେଲ୍ ଅଭିଭାର ଉତ୍ତରରେ ଥିବା ହର୍ଜଲିଜାସ୍ଥିତ ନିଜ ବାସଭବନରେ ଇସ୍ରାଏଲ୍ରେ ଥିବା ଚୀନ୍ ରାଷ୍ଟ୍ରଦୂତଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ଇସ୍ରାଏଲ୍ର ବୈଦେଶିକ ମନ୍ତ୍ରାଳୟ କହିଛି।
କରୋନାଭାଇରସ୍ ମହାମାରୀ ସଂକ୍ରମଣ ଚାଲିଥିବା ସମୟରେ ଫେବ୍ରୁଆରି ମାସରେ ୫୮ ବର୍ଷିୟ ଦୁ ୱେଇଙ୍କୁ ଇସ୍ରାଏଲ୍ରେ ଚୀନ୍ର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ସେ ୟୁକ୍ରେନ୍ରେ ଚୀନ୍ର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ।
ତାଙ୍କର ପତ୍ନୀ ଓ ପୁତ୍ର ଅଛନ୍ତି। କିନ୍ତ, ସେ ଦୁହେଁ ଇସ୍ରାଏଲ୍ରେ ନ ଥିଲେ।
ଚୀନ୍ ସହିତ ଇସ୍ରାଏଲ୍ ସୁସମ୍ପର୍କ ରହିଛି। ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଗଣମାଧ୍ୟମଗୁଡ଼ିକ ରିପୋର୍ଟ କରିଛନ୍ତି। ୱେଇଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ତଦନ୍ତ ଚାଲିଥିବା କଥା ଇସ୍ରାଏଲ୍ ପୁଲିସ କହିଛି।
ଏଠାରେ ପ୍ରକାଶଯୋଗ୍ୟ କି, ଗସ୍ତରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ଟିପ୍ପଣୀକୁ ନିନ୍ଦା କରିବାର ଦୁଇ ଦିନ ପରେ ୱେଇଙ୍କର ମୃତ୍ୟୁ ଘଟିଛି। ପମ୍ପିଓ ଇସ୍ରାଏଲ୍ରେ ଚୀନ୍ର ଅର୍ଥ ବିନିଯୋଗକୁ ସମାଲୋଚନା କରିବା ସହ ଚୀନ୍ କରୋନାଭାଇରସ୍ ବିସ୍ତାର ସମ୍ପର୍କରେ ତଥ୍ୟ ଲୁଚାଇଛି ବୋଲି ଅଭିଯୋଗ କରିଥିଲେ।