ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚୀନ ନିର୍ମିତ ରାପିଡ ଆଣ୍ଟିବଡି ଟେଷ୍ଟ କିଟ୍ ବ୍ୟବହାର ବନ୍ଦ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଚୀନ ନିର୍ମିତ ରାପିଡ ଆଣ୍ଟିବଡି ଟେଷ୍ଟ କିଟଗୁଡ଼ିକୁ ନେଇ ସମସ୍ୟା ବଢିଚାଲିଛି । ଏଥିରୁ ତ୍ରୁଟିଯୁକ୍ତ ରିପୋର୍ଟ ବାହାରୁ ଥିବାରୁ ଗତ ମଙ୍ଗଳବାରଦିନ ଭାରତୀୟ ଭେଷଜ ଗବେଷଣା ପରିଷଦ ( ଆଇସିଏମଆର) ପକ୍ଷରୁ ଏ ଗୁଡ଼ିକର ବ୍ୟବହାରକୁ ଦୁଇଦିନ ପାଇଁ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ ଏସବୁ ଟେଷ୍ଟ କିଟ୍ ଗୁଡ଼ିକର ବ୍ୟବହାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏସବୁ କିଟଗୁଡ଼ିକର ପରୀକ୍ଷା କରିବା ଲାଗି ଆଇସିଏମଆର ପକ୍ଷରୁ ଏକ ବିଶେଷଜ୍ଞ ଦଳ ଗଠନ କରାଯାଇଛି । ଏହି କମିଟି ଏବେ କିଟଗୁଡ଼ିକର ପରୀକ୍ଷା ଚଳାଇଛି । ଏହି କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ଚୀନ୍ ନିର୍ମିତ  କିଟଗୁଡ଼ିକର ବ୍ୟବାହର ବନ୍ଦ ରହିବ ।

ଅନ୍ୟପକ୍ଷରେ ଯଦି ଏହି କିଟରେ ତ୍ରୁଟି ଥିବା ଜଣାପଡ଼େ ତେବେ ସେଗୁଡ଼ିକୁ ଚୀନ କମ୍ପାନିମାନଙ୍କୁ ଫେରାଇ ଦିଆଯିବ । ରାପିଡ ଟେଷ୍ଟ କିଟ ସଂପର୍କରେ ରାଜସ୍ଥାନ ଓ ପଶ୍ଚିମବଙ୍ଗ ସରକାର ଆପତ୍ତି ଉଠାଇ ଏହି ପରୀକ୍ଷାକୁ ବନ୍ଦ କରିଦେଇଥିଲେ । ଏହି କିଟଗୁଡ଼ିକରେ ଭୁଲ ଫଳାଫଳ ବାହାରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ । ଏହା ପରେ ଦୁଇଦିନ ପାଇଁ ଏଗୁଡ଼ିକର ଉପଯୋଗ ବନ୍ଦ କରାଯାଇଥିଲା ।

ସମ୍ବନ୍ଧିତ ଖବର