ଅରୁଣାଚଳ ପ୍ରଦେଶରୁ ହଜିଥିବା ବାଳକ ମିଳିଲା ଚୀନରୁ; ଭାରତକୁ ଫେରାଇବା ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ସେନା ଦାବି କରିଛି ଅରୁଣାଚଳ ପ୍ରଦେଶରୁ ହଜିଥିବା ବାଳକକୁ ଚୀନର ସେନା ବାହିନୀ ପିପୁଲ୍ସ ଲିବେରେସନ ଅଫ୍ ଆର୍ମି(ପିଏଲଏ) ପାଇଛି । ଏହି ନାବାଳକର ନାମ ମିରମ ତରୋନ ଓ ସେ ୧୭ ବର୍ଷୀୟ ବୋଲି ଚିହ୍ନଟ କରାଯାଇଛି । ତରୋନକୁ ଅରୁଣାଚଳ ପ୍ରଦେଶ ସିୟୁଙ୍ଗଲାର ଲୁଙ୍ଗଟା ଜୋର ଅଞ୍ଚଳରୁ ଚୀନ୍ ଉଠାଇ ନେଇଛି ବୋଲି ଅଭିଯୋଗ ହୋଇଥିଲା ।

ତେଜପୁରର ପ୍ରତିରକ୍ଷା ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ହର୍ଷବର୍ଦ୍ଧନ ପାଣ୍ଡେ ରବିବାର କହିଛନ୍ତି, ତରୋନ ନିଜ ଗାଁ ଜିଦାରୁ ହଜି ଯାଇଥିଲା । ତାକୁ ପିଏଲଏ ପାଇଛି । ଚୀନର ସେନା ବାହିନୀ ଏବିଷୟରେ ଆମକୁ ଖବର ଦେଇଛି ଓ କହିଛି ତରୋନକୁ ଭାରତକୁ ଫେରାଇବାର ଆବଶ୍ୟକ ପ୍ରକ୍ରିୟାର ପାଳନ କରା ଯାଉଛି ।

ତରୋନ ହଜିଥିବାର ଖବର ପାଇ ଭାରତୀୟ ସେନା ତାକୁ ଖୋଜିବା ପାଇଁ ପିଏଲଏର ସାହାଯ୍ୟ ମାଗିଥିଲା। ଭାରତୀୟ ସେନା ଶୀଘ୍ର ହିଁ ହଟ୍-ଲାଇନ୍ ଦ୍ଵାରା ପିଏଲଏ ସହିତ ଯୋଗାଯୋଗ କରିଥିଲା । ଭାରତୀୟ ସେନା ପିଏଲଏକୁ କହିଥିଲା ଜଡିବୁଟି ସଂଗ୍ରହ କରୁଥିବା ଏକ ବାଳକ ରାସ୍ତା ଭୁଲି ଯାଇଛି ଓ ମିଳୁ ନାହିଁ ।

ଅରଣାଚଳ ପ୍ରଦେଶର ସାଂସଦ ତାପିର ଗାଓ ନାବାଳିକ ହଜିଥିବାର ଖବର ସ୍ଥାନୀୟ ଅଧିକାରୀଗଣ ଓ ଗୃହ ରାଜ୍ୟ ମନ୍ତ୍ରୀ ଏନ୍.ପ୍ରାମାଣିକଙ୍କୁ ଦେଇଥିଲେ । ଏହା ସହିତ ସେ ଭାରତ ସରକାରଙ୍କ ସମସ୍ତ ସଂସ୍ଥାମାନଙ୍କୁ ନାବାଳକକୁ ଖଲାସ କରିବା ପାଇଁ ଜରୁରୀ ପଦକ୍ଷେପ ନେବେ ପାଇଁ ଅନୁରୋଧ କରିଥିଲେ ।

ସମ୍ବନ୍ଧିତ ଖବର