ଭାରତ ଉପରେ ନଜର ରଖିବାକୁ ମିଆଁମାରକୁ ପ୍ରସ୍ତୁତ କରୁଛି ଚୀନ, ଆଣ୍ଡାମାନଠାରୁ ୫୫ କିମି ଦୂର କୋକୋ ଦ୍ବୀପରେ ନିର୍ମାଣ ହେଉଛି ସାମରିକ ଘାଟି

ନୂଆଦିଲ୍ଲୀ : ଭାରତକୁ ଘେରିବା ପାଇଁ ଚୀନ୍ ଦିନକୁ ଦିନ ନୂଆ ନୂଆ ପ୍ରକାରର ଷଡ଼ଯନ୍ତ୍ର କରିଚାଲିଛି । ଏଭଳି ପୁଣି ଏକ ଷଡ଼ଯନ୍ତ୍ର କଥା ଜଣାପଡ଼ିଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜଠାରୁ ପ୍ରାୟ ୫୫ କିଲୋମିଟର ଦୂର ମିଆଁମାରର କୋକୋ ଦ୍ୱୀପରେ ଏକ ସାମରିକ ଘାଟି ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଚୀନ ସହାୟତାରେ ଏହାକୁ ମିଆଁମାର ସରକାର ନିର୍ମାଣ କରୁଛନ୍ତି ।

ଏହି ରିପୋର୍ଟ ସାମ୍ନାକୁ ଆସିବା ମାତ୍ରେ ଏହି ସାମରିକ ଘାଟି ପଛରେ ଚୀନର ହାତ ଥିବା ସନ୍ଦେହ ସୃଷ୍ଟି ହୋଇଛି । ଭାରତ ସର୍ବଦା କୋକୋ ଦ୍ୱୀପକୁ ସନ୍ଦେହ ଦୃଷ୍ଟିରେ ଦେଖିଆସିଛି, କାରଣ ଚୀନ୍ ସର୍ବଦା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଘେରିବା ପାଇଁ ମିଆଁମାରର ଏହି ଦ୍ୱୀପକୁ ବ୍ୟବହାର କରିଆସୁଛି । ମିଆଁମାରର ଏହି ଦ୍ୱୀପରେ ଏକ ସାମରିକ ଘାଟି ନିର୍ମାଣର ସାଟେଲାଇଟ୍ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

କାହିଁକି ଏହା ଭାରତ ପାଇଁ ବିପଦ ହୋଇପାରେ

ମାକ୍ସର ଟେକ୍ନୋଲୋଜି ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଫଟୋରେ କୋକୋ ଦ୍ୱୀପରେ ସାମରିକ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଏଠାରେ କେତେକ ନୂତନ ନିର୍ମାଣ ମଧ୍ୟ ହୋଇଛି। ଏଥିରେ ୨୩୦୦ ମିଟର ଲମ୍ବର ନୂଆ ରନୱେ ମଧ୍ୟ ରହିଛି। ତେବେ ଏକ ଦଶନ୍ଧି ତଳେ ଏହି ରନ୍ ୱେର ଲମ୍ବ ୧୩୦୦ ମିଟର ଥିଲା। ଅନୁମାନ କରାଯାଉଛି ଯେ ମିଆଁମାର ଏହାର ଗୁପ୍ତ ସାମୁଦ୍ରିକ ନିରୀକ୍ଷଣ ଅଭିଯାନ ପାଇଁ ଏହି ଦ୍ୱୀପପୁଞ୍ଜଗୁଡ଼ିକୁ ପ୍ରସ୍ତୁତ କରୁଛି, ଯେଉଁଥିରେ ଚୀନ୍ ର ସଂପୃକ୍ତି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର