ବେଜିିଂ: ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଟ ଗ୍ରୁପର ମାଲିକ ଜ୍ୟାକ ମା ପ୍ରାୟ ୨ ମାସ ହେବ ନିଖୋଜ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ବିଶ୍ବର ଅନ୍ୟତମ ଧନୀ ତଥା ହଜାର ହଜାର କୋଟି ଟଙ୍କାର କାରବାର କରୁଥିବା ଆଲିବାବାକୁ ଚଳାଉଥିବା ଜ୍ୟାକ୍ ମା ଏବେ ଦେଖା ଦେଉ ନଥିବା ନେଇ ଅନେକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଛି। ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ଆକ୍ରୋଶର ଶିକାର ହେବା ପର ଠାରୁ ତାଙ୍କୁ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖା ଯାଉନାହିଁ।
ଜ୍ୟାକ୍ ମା ଆଲିବାବା ଗ୍ରୁପର ମାଲିକ ହେବା ସଂଗେ ସଂଗେ ସେ ଜଣେ ସୁଦକ୍ଷ ବକ୍ତାଭାବେ ବେଶ୍ ପରିଚିତ । ସେ ଚାଇନାର ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇଥା’ନ୍ତି । ତାଙ୍କର ପ୍ରେରଣାଦାୟୀ ଭାଷଣ ଓ ଜୀବନକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର ବକ୍ତବ୍ୟ ପାଇଁ ସେ ଚୀନର ଯୁବକଯୁବତୀଙ୍କ ମହଲରେ ବେଶ୍ ଲୋକପ୍ରିୟ । ହେଲେ ୨୦୧୯ ମସିହା ଅକ୍ଟୋବର ମାସରେ ସେ ସାଂଘାଇର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଚାଇନାର ଆର୍ଥିକ ନିୟାମକ ଓ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକୁ କଡ଼ା ସମାଲୋଚନା କରିଥିଲେ । ଜ୍ୟାକ୍ ମା କହିଥିଲେ କି ଗ୍ଲୋବାଲ ବ୍ୟାଙ୍କିଂ ନିୟମ ଯେଭଳି ଭାବେ କରାଯାଇଛି ତାହା ବୃଦ୍ଧ ଲୋକଙ୍କ କ୍ଲବ୍ ସହ ସମାନ । ତାଙ୍କର ଏଭଳି ଭାଷଣକୁ ଚାଇନା କମ୍ୟୁନିଷ୍ଟ ପାର୍ଟି ଘୋର ବିରୋଧ କରିଥିଲା । ଏହାକୁ ନେଇ ଚାଇନାର କମ୍ୟୁନିଷ୍ଟ ସରକାର ଜ୍ୟାକ୍ ମାଙ୍କ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ ବିଭିନ୍ନ ଅନୁସନ୍ଧାନ ଆରମ୍ଭ କରିଛି ।