ଚୀନ କମ୍ପାନିର କର୍ମଚାରୀ ନେଉଛନ୍ତି ସିନୋଭାକ୍‌ ଟିକା

ନୂଆଦିଲ୍ଲୀ: ଚୀନର ଭେଷଜ କମ୍ପାନି ସିନୋଭାକ୍‌ ବାୟୋଟେକ୍‌ ଦ୍ବାରା ବିକଶିତ ଏକ କୋଭିଡ୍‌ ଟିକାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିନଥିଲେ ହେଁ ସରକାରଙ୍କ ଅନୁମତି କ୍ରମେ ଉକ୍ତ କମ୍ପାନିର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଏହି ଟିକା ଦିଆଚାଲିଛି। ସୂଚନା ଥାଉ କି, କରୋନାଭାକ୍‌ ନାମକ ଉକ୍ତ ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଗତ ଜୁଲାଇରେ ହିଁ ସଂପନ୍ନ ହୋଇଛି ଏବଂ ଅଧୁନା ଏହାର ଚୂଡ଼ାନ୍ତ ପରୀକ୍ଷଣ ବ୍ରାଜିଲ୍‌ ଓ ଇଣ୍ଡୋନେସିଆରେ ଜାରି ରହିଛି। ତେବେ ସଂକଟଜନକ ସ୍ଥିତିରେ ଗୁରୁତର କୋଭିଡ୍‌-୧୯ ରୋଗୀଙ୍କ ଠାରେ ଏହାର ଜରୁରୀକାଳୀନ ପ୍ରୟୋଗ କରିବାକୁ ଚୀନ ସରକାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଅନୁମତି ଦେଇଥିଲେ। ତେବେ ସିନୋଭାକ୍ କମ୍ପାନିର ୯୦ ପ୍ରତିଶତ କର୍ମଚାରୀ ଏବଂ ସେମାନଙ୍କ ପରିବାର ଉକ୍ତ ଟିକା ଗ୍ରହଣ କରିଥିବା ଜଣାଯାଇଛି। ଏ ପରିପ୍ରେକ୍ଷୀରେ ପ୍ରାୟ ୨୦୦୦ରୁ ୩୦୦୦ କର୍ମଚାରୀ ଏବଂ ସେମାନଙ୍କ ପରିବାର ସ୍ବେଚ୍ଛାକୃତ ଭାବେ ଉକ୍ତ ଟିକା ନେଇଥିବା କମ୍ପାନିର ସିଇଓ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ବିଶ୍ବରେ ସମ୍ପ୍ରତି ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆରମ୍ଭ କରିଥିବା ୩୪ଟି ଟିକା ମଧ୍ୟରୁ ୮ଟି ହିଁ ଚୀନ କମ୍ପାନିମାନଙ୍କ ଦ୍ବାରା ବିକଶିତ।

ସମ୍ବନ୍ଧିତ ଖବର