ଚୀନ-ଭାରତ ବିବାଦ : ରଦ୍ଦ ହୋଇପାରେ ଚୀନ କମ୍ପାନିଙ୍କୁ ଦିଆଯାଇଥିବା ଠିକା

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ସଂପର୍କ ଖରାପ ହେବା ପରେ ଭାରତରେ କାର୍ଯ୍ୟକରୁଥିବା ଚୀନ କମ୍ପାନିଙ୍କ ସ୍ଥିତି ଖରାପ ହୋଇପାରେ । ନିକଟରେ ଦିଲ୍ଲୀ-ମିରଟ ରିଜିଓନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ ପ୍ରକଳ୍ପର କଣ୍ଟ୍ରାକ୍ଟ ଏକ ଚୀନ କମ୍ପାନିକୁ ଦିଆଯାଇଥିବାବେଳେ ସରକାର ଏବେ ଉକ୍ତ ଟେଣ୍ଡରକୁ ରଦ୍ଦ କରିବାକୁ ବିଚାର କରୁଛନ୍ତି ।
ଦିଲ୍ଲୀ-ମିରଟ ରିଜିଓନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ ପ୍ରକଳ୍ପର ଏକ ଭୂମିତଳ ଟନେଲ ନିର୍ମାଣ ପାଇଁ ନିକଟରେ ଗ୍ଲୋବାଲ ଟେଣ୍ଡର ଡକାଯାଇଥିଲା । ଏହି ଟେଣ୍ଡରରେ ଚୀନର ସାଂଘାଇ ଟନେଲ ଇଂଜିନିୟରିଂ କୋ ଲିଃ (ଏସଟିଇସି) ସର୍ବନିମ୍ନ ମୂଲ୍ୟର ବିଡ ଦାଖଲ କରି ପ୍ରକଳ୍ପକୁ ହାତେଇଥିଲା । ତେବେ ଚୀନ ସହିତ ଗତ କିଛି ସପ୍ତାହ ଧରି ବିବାଦ ଚାଲିଥିବାବେଳେ ଚୀନ କମ୍ପାନିକୁ ଏହି ଠିକା ଦିଆଯିବାକୁ ନେଇ ବିଭିନ୍ନ ମହଲରେ ସାମାଲୋଚନା କରାଯାଉଥିଲା ।
କେବଳ ଏତିକି ନୁହେଁ, ବିଭିନ୍ନ ଭାରତୀୟ ପ୍ରକଳ୍ପ ପାଇଁ ଡକାଯାଉଥିବା ଗ୍ଲୋବାଲ ଟେଣ୍ଡରକୁ ଯେପରି ଚୀନ କମ୍ପାନିମାନେ ହାତେଇ ନପାରିବେ ସେଥିପାଇଁ ନିୟମରେ କେତେକ ପରିବର୍ତ୍ତନ କରିବାକୁ ବିଚାର କରାଯାଉଛି । ଏହାଛଡ଼ା ଚୀନ ବିରୁଦ୍ଧରେ ଆଉ କେତେକ ଆର୍ଥିକ ପଦକ୍ଷେପ ନେବାକୁ ଭାରତ ସରକାର ବିଚାର କରୁଛନ୍ତି ।
ଦୁଇ ମାସ ତଳେ ଭାରତ ସରକାର ନିଜର ଏଫଡିଆଇ ନିୟମରେ ପରିବର୍ତ୍ତନ କରି ଚୀନରୁ ଆସୁଥିବା ନିବେଶ ପାଇଁ ସରକାରୀ ଅନୁମତିକୁ ବାଧ୍ୟତାମୂଳକ କରିଦେଇଥିଲେ ।

ସମ୍ବନ୍ଧିତ ଖବର