ନେପାଳୀ ରାଜନେତାଙ୍କ ସହ ବୈଠକ ଯୋଗୁଁ ପୁଣି ବିବାଦରେ ପଡ଼ିଲେ ନେପାଳସ୍ଥିତ ଚୀନ୍ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଶାସନରେ ଅପାରଗତା କାରଣରୁ ଇସ୍ତଫା ଦେବାକୁ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଉପରେ ତାଙ୍କ ଦଳ ମଧ୍ୟରୁ ଚାପ ବଢୁଥିବା ବେଳେ ନେପାଳୀ ରାଜନୈତିକ ନେତାମାନଙ୍କ ସହ ବୈଠକରେ ଯୋଗ ଦେଇ ଚୀନ୍‌ର ରାଷ୍ଟ୍ରଦୂତ ହୋଉ ୟାନ୍‌କ୍ବି ପୁଣି ବିବାଦୀୟ ହୋଇପଡ଼ିଛନ୍ତି।

ଏ ଭଳି ବିବାଦ ହୋଉଙ୍କ ପାଇଁ କିଛି ନୂଆ କଥା ନୁହେଁ। ନେପାଳ କମ୍ୟୁନିଷ୍ଟ୍‌ ପାର୍ଟିର ଅଭ୍ୟନ୍ତରୀଣ ବିବାଦ ପଦାରେ ପଡ଼ିବା ଓ ଓଲିଙ୍କୁ ଗାଦିଚ୍ୟୁତ କରିବା ଭଳି ପରିସ୍ଥିତି ଆସିବା ପରେ ଏପ୍ରିଲ୍ ମାସ ଶେଷ ଓ ମେ ମାସ ପ୍ରାରମ୍ଭରେ ସେ ନେପାଳ କମ୍ୟୁନିଷ୍ଟ୍‌ ପାର୍ଟିର ନେତାମାନଙ୍କ ସହ କେତେଗୁଡ଼ିଏ ବୈଠକ କରିଥିଲେ। ଶାସକ ଦଳ ଗଠନ ପାଇଁ କେତେକ କମ୍ୟୁନିଷ୍ଟ୍‌ ନେତାଙ୍କୁ ଏକତ୍ର କରିବାରେ ଚୀନ୍ ପ୍ରମୁଖ ଭୂମିକା ନେଇଥିବା କଥା ରାଜନୈତିକ ସମୀକ୍ଷକମାନେ ମଧ୍ୟ ବିଶ୍ବାସ କରୁଛନ୍ତି।

ହୋଉ ଜୁଲାଇ ୩ ତାରିଖରେ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ଏବଂ ଜୁଲାଇ ୫ ତାରିଖ ଦିନ ‘ଏନ୍‌ସିପି’ର ବୈଦେଶିକ ସମ୍ପର୍କ ବିଭାଗର ମୁଖ୍ୟ ବରିଷ୍ଠ ରାଜନେତା ମାଧବ କୁମାର ନେପାଳଙ୍କୁ ଭେଟିଥିଲେ। ଏହା ତାଙ୍କର ସୌଜନ୍ୟମୂଳକ ସାକ୍ଷାତ୍‌କାର ଥିଲା ବୋଲି କୁହାଯାଇଥିଲା।

ହୋଉଙ୍କ ସହ ଭଣ୍ଡାରୀଙ୍କ ସାକ୍ଷାତ୍ ଅନେକ ସନ୍ଦେହ ଉଦ୍ରେକ କରୁଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ବାରମ୍ବାର କୂଟନୈତିକ ଆଚରଣବିଧି ଉଲ୍ଲଂଘନ କରୁଛି ବ‌ୋଲି ବୈଦେଶିକ ମନ୍ତ୍ରାଳୟ ଅଧିକାରୀମାନେ କହୁଥିବା କଥା ‘ଦ କାଠମଣ୍ଡୁ ପୋଷ୍ଟ୍‌’ ରିପୋର୍ଟ କରିଛି।

 

ସମ୍ବନ୍ଧିତ ଖବର