ଭାରତର ଟିକା କମ୍ପାନିଙ୍କ ଉପରେ ସାଇବର ଆକ୍ରମଣ କରିବାକୁ ଉଦ୍ୟମ କରୁଛି ଚୀନ

ନୂଆଦିଲ୍ଲୀ : କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଭାରତଠାରୁ ପଛେଇଯିବା ପରେ ଚୀନ ଏବେ ଭାରତର ଟିକା ପ୍ରସ୍ତୁତକାରୀ କମ୍ପାନିମାନଙ୍କ ଉପରେ ସାଇବର ଆକ୍ରମଣ କରିବାକୁ ଉଦ୍ୟମ କରୁଛି ।

କିଛି ସପ୍ତାହ ତଳେ ଚୀନ ହ୍ୟାକରମାନେ  ଭାରତର ଦୁଇ ଟିକା ପ୍ରସ୍ତୁତିକାରୀ କମ୍ପାନି ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକର ଆଇଟି ସିଷ୍ଟମ ଉପରେ ସାଇବର ଆକ୍ରମଣ କରି ସେଗୁଡ଼ିକରୁ ତଥ୍ୟ ଚୋରାଇବା ଓ ତଥ୍ୟ ନଷ୍ଟ କରିବା ଲଗି ଉଦ୍ୟମ କରିଥିଲେ । ଏ ସମ୍ପର୍କରେ ସାଇବର ଗୁଇନ୍ଦା ସଂସ୍ଥା ସାଇଫାର୍ମା ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି ।

ସାଇଫାର୍ମାର ସିଇଓ କୁମାର ରିତେଶ କହିଛନ୍ତି ଯେ ଚୀନ ସରକାରଙ୍କ ଦ୍ବାରା ପ୍ରାୟୋଜିତ ହ୍ୟାକର ଗ୍ରୁପ ଏପିଟି୧୦ ପକ୍ଷରୁ ଏହି ସାଇବର ଆକ୍ରମଣ କରାଯାଇଥିଲା । ଏହି ଗ୍ରୁପ ଷ୍ଟୋନ ପାଣ୍ଡା ବୋଲି ମଧ୍ୟ ଜଣାଶୁଣା । ଏହି ସାଇବର ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଭାରତୀୟ ଟିକା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ । ଏହା ସହିତ ଭାରତୀୟ ଟିକା ଗବେଷଣାକୁ ବିଫଳ କରି ଟିକା ନିର୍ମାଣ କ୍ଷେତ୍ରରେ ଭାରତକୁ ପଛକୁ ନେଇଯିବା ।

ସେ କହିଛନ୍ତି ଯେ ଚୀନ ହ୍ୟାକରମାନେ ସିରମ ଇନଷ୍ଟିଚ୍ୟୁଟ ଉପରେ ସାଇବର ଆକ୍ରମଣ କରିବା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ।

 

ସମ୍ବନ୍ଧିତ ଖବର