ଚାଇନିଜ୍ ହ୍ୟାକର୍ସମାନଙ୍କ ସାଇବର ଆକ୍ରମଣରୁ ନିଜକୁ କିପରି ସୁରକ୍ଷିତ ରଖିବେ ଜାଣନ୍ତୁ

ନୂଆଦିଲ୍ଲୀ: ଗତ ପାଞ୍ଚ ଦିନ ମଧ୍ୟରେ ଚୀନର ହ୍ୟାକର୍‌ମାନେ ଭାରତର ସୂଚନା ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ଏବଂ ବ୍ୟାଙ୍କିଙ୍ଗ୍‌ ସେକ୍ଟର୍‌ ଉପରେ ୪୦ ହଜାର ସାଇବର୍ ଆକ୍ରମଣ ଉଦ୍ୟମ କରିଥିବା କଥା ମଙ୍ଗଳବାର ଦିନ ମହାରାଷ୍ଟ୍ରର ଜଣେ ଶୀର୍ଷସ୍ତରୀୟ ପୁଲିସ ଅଧିକାରୀ କହିଛନ୍ତି। ପୂର୍ବ ଲଦାଖରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ସୀମା ଆରପାରିରୁ ଏଭଳି ଅନ୍‌ଲାଇନ୍‌ ଆକ୍ରମଣରେ ହଠାତ୍ ବୃଦ୍ଧି ପରିଲକ୍ଷିତ ହୋଇଥିବା କଥା ମହାରାଷ୍ଟ୍ର ପୁଲିସ ସାଇବର୍ ବିଭାଗର ଇନ୍‌ସ୍‌ପେକ୍ଟର୍ ଜେନେରାଲ ଯଶ୍ବସୀ ଯାଦବ କହିଛନ୍ତି। ଏହା ପୂର୍ବରୁ ଭାରତ ସରକାର ଜାତୀୟ ସାଇବର କ୍ରାଇମ ପୋର୍ଟାଲ ମାଧ୍ୟମରେ ଏକ ପରାମର୍ଶବଳୀ ଜାରି କରି ଚୀନ୍ ହ୍ୟାକର୍ମାନେ ସାଇବର୍ ଆକ୍ରମଣର ଯୋଜନା କରୁଥିବା ବିଷୟରେ ଜଣାଇଥିଲେ | ଏହା ସହ ଏକ ନିର୍ଦ୍ଦିଷ୍ଟ ଇମେଲ ଠିକଣା ‘[email protected]’ ଦ୍ୱାରା ଚୀନ୍ ହ୍ୟାକରନେ ଫିସିଙ୍ଗ୍ ଇମେଲ ପଠାଉଥିବା ବିଷୟରେ ସରକାର ଚେତାଇ ଦେଇଥିଲେ | ତେବେ ଏଭଳି ଇମେଲ ଆଇଡିରୁ ଆପଣଙ୍କ ପାଖକୁ ଆସୁଥିବା ଫିସିଙ୍ଗ୍ ଇମେଲଠାରୁ ଆପଣ ନିଜକୁ କିଭଳି ସୁରକ୍ଷିତ ରଖିବେ, ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ |

୫ଟି ଉପାୟ ଆପଣାଇ ଆପଣମାନେ ନିଜକୁ ସାଇବର୍ ଆକ୍ରମଣରୁ ରକ୍ଷା କରି ପାରିବେ | ସେଗୁଡିକ ହେଲା…..

୧. ଚୀନର ସାଇବର ଆକ୍ରମଣକାରୀମାନେ ଆକ୍ରମଣ ପାଇଁ ଭାରତ ସରକାରଙ୍କ ଇମେଲ ଆଇଡି ବ୍ୟବହାର କରୁଛନ୍ତି, ଯାହା ଜରିଆରେ ଅନେକ ଜରୁରୀ ତଥ୍ୟ ଲୋକମାନଙ୍କୁ ଦିଆଯାଏ | ଯଦି ଆପଣ ଏହିପରି ଏକ ଇମେଲ୍ ଆଇଡିରୁ ଇମେଲ୍ ଗ୍ରହଣ କରନ୍ତି, ତେବେ ଏପରି ଇମେଲ ଖୋଲନ୍ତୁ ନାହିଁ | ଆସିଥିବା ଇମେଲରେ ‘ମାଗଣା’, ‘ଅଫର୍’, ‘ପୁରସ୍କାର’, ‘ରିହାତି’ ଭଳି କଥା ଲେଖା ଥିଲେ ପ୍ରଥମେ ଇମେଲ୍ ଠିକଣାକୁ ସଠିକ୍ ଭାବରେ ଯାଞ୍ଚ କରନ୍ତୁ | ସ୍ପାମ୍ ମେଲଗୁଡିକରେ ପ୍ରାୟତଃ ଇମେଲ୍ ଠିକଣା ଥାଏ, ଯାହା ନକଲି ହେବାର ଚିହ୍ନ ଧାରଣ କରିଥାଏ |

Representative image.
news18.com

୨. ଆସିଥିବା ଅନେକ ଇମେଲଗୁଡିକରେ ଆଟାଚମେଣ୍ଟ ରହିଥାଏ | ଯଦି ଆପଣ ଏହା ଡାଉନଲୋଡ କରନ୍ତି ତେବେ ଏହା ଆପଣଙ୍କ ଫୋନ କିମ୍ବା କମ୍ପ୍ୟୁଟରରେ ରହି ଆପଣଙ୍କ ସହ ଜଡିତ ଜରୁରୀ ଏବଂ ବ୍ୟକ୍ତିଗତ ସୂଚନା ଚୋରି କରିଥାଏ | ତେଣୁ ‘[email protected]’ ଇମେଲ ଆଇଡି କିମ୍ବା କୌଣସି ଅଜଣା ଇମେଲ ଆଇଡିରୁ ଆସିଥିବା ଆଟାଚମେଣ୍ଟଗୁଡିକୁ ଖୋଲନ୍ତୁ ନାହିଁ |

୩. ଏଭଳି ଅନେକ ଇମେଲ ରହିଛି, ଯେଉଁଥିରେ ଲୋକଙ୍କୁ ମାଗଣା ସୁବିଧା ବା କୋଟି କୋଟି ଟଙ୍କା ଜିତିବାର ଲୋଭ ଦେଇ ସେମାନଙ୍କୁ ସେମାନଙ୍କର ଆଇଡି ସହ ବ୍ୟାଙ୍କିଙ୍ଗ୍ ବିବରଣୀ ମଗାଯାଇଥାଏ | ଯଦି ଏଭଳି କିଛି ଇମେଲ ଆପଣଙ୍କ ପାଖକୁ ଆସୁଛି ତେବେ ତାହାର ଜବାବ ଦିଅନ୍ତୁ ନାହିଁ |

୪. ଅନେକ ସମୟରେ ବିଭିନ୍ନ ନାମକରା କମ୍ପାନୀର ନାଁକୁ ବ୍ୟବହାର କରି ଆପଣଙ୍କ ପାଖକୁ ଇମେଲ ଆସିବା ସହ ସେଥିରେ କମ୍ପାନୀର ଲିଙ୍କ ମଧ୍ୟ ରହିଥାଏ | ପ୍ରକୃତରେ ସାଇବର ଆକ୍ରମଣକାରୀମାନେ ବଡ ବଡ କମ୍ପାନୀର ନାଁକୁ ବ୍ୟବହାର କରି ଆପଣଙ୍କୁ ଲିଙ୍କ ପଠାଇଥାନ୍ତି, ଯାହାକୁ ଡାଉନଲୋଡ କରିବାମାତ୍ରେ ସେମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ନେଇଥାନ୍ତି | ଏଭଳି ଲିଙ୍କ ଥିବା ଇମେଲ ପାଇଲେ ତୁରନ୍ତ ଗୁଗଲରେ ସର୍ଚ୍ଚ କରି ଲିଙ୍କଟି ଠିକ ଅଛି କି ନାହିଁ ଯାଞ୍ଚ କରନ୍ତୁ | ଲିଙ୍କ୍ ଆରମ୍ଭରେ ‘ଏଚଟିଟିପିଏସ’ ଟ୍ୟାଗ୍ ପାଇଁ ମଧ୍ୟ ଯାଞ୍ଚ କରନ୍ତୁ ଏବଂ ଆପଣ ଖୋଲିଥିବା ୱେବପୃଷ୍ଠାର ବୈଧ ପ୍ରମାଣପତ୍ର ଅଛି କି ନାହିଁ ଦେଖନ୍ତୁ | ଏହି ସୂଚନା ସଧାରଣତଃ ଏକ ବ୍ରାଉଜରର ଅଡ୍ରେସ ବାରର ବାମ କୋଣରେ ଥାଏ |

୫.ଏହି ପ୍ରସଙ୍ଗରେ ଜାରି ସରକାରୀ ପରାମର୍ଶଦାତାରେ ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରାଯାଇଛି ଯେ, ଭାରତର ଅଫିସିଆଲ୍ ଆଣ୍ଟି ଫିସିଙ୍ଗ୍ ପୋର୍ଟାଲରେ ଏପରି କୌଣସି ଇମେଲ୍ ଆସିଲେ ତୁରନ୍ତ ରିପୋର୍ଟ କରନ୍ତୁ । ଯଦି ଆପଣ ଏହିପରି ମେଲଗୁଡିକ ପାଉଛନ୍ତି, ସେଗୁଡ଼ିକୁ  ଅଣଦେଖା କରିବା ପରିବର୍ତ୍ତେ ତୁରନ୍ତ ରିପୋର୍ଟ କରନ୍ତୁ | ଏହା କର୍ତ୍ତୃପକ୍ଷଙ୍କୁ ସାଇଟ ଏବଂ ପଠାଇଥିବା ଲୋକକୁ କଳା ତାଲିକାଭୁକ୍ତ କରିବାରେ ସାହାଯ୍ୟ କରିପାରିବ ଏବଂ ଇମେଲଗୁଡ଼ିକୁ ଟ୍ରାକ୍ କରି ଏହି ଅପରାଧ ପଛରେ ଥିବା ଅପରାଧୀଙ୍କୁ ଖୋଜାଯାଇପାରିବ |

ସମ୍ବନ୍ଧିତ ଖବର