ମୁମ୍ବାଇ ଅନ୍ଧାର ପଛରେ ଚୀନ ହାତ! ମାଲ୍‌ଓୟାର ଆକ୍ରମଣ କରିଥାଇପାରେ

ଚୀନ୍‌ ହ୍ୟାକର୍‌ଙ୍କ ଟାର୍ଗେଟ୍‌ରେ ସିରମ୍‌, ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଗତବର୍ଷ ଅକ୍ଟୋବର ୧୨ ତାରିଖରେ ଦୁଇ ଘଣ୍ଟାରୁ ଅଧିକ ସମୟ ବିଜୁଳି ବିଚ୍ଛିନ୍ନ ହୋଇଯାଇଥିଲା। ଏଥିଯୋଗୁ ସାରା ମୁମ୍ବାଇ ଠପ୍ ହୋଇଯାଇଥିଲା। ଷ୍ଟକ ଏକ୍ସଚେଞ୍ଜ ଠାରୁ ଆରମ୍ଭ କରି ଲୋକାଲ୍ ଟ୍ରେନ୍ ଅଟକି ଯାଇଥିଲା, ଡାକ୍ତରଖାନାରେ ଅସ୍ତ୍ରୋପଚାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣା ସେତେବେଳେ ସାରା ଦେଶରେ ଚିନ୍ତାର କାରଣ ପାଲଟିଥିଲା। ବିଜୁଳି ବିଭ୍ରାଟର କାରଣ ଜାଣିବା ପାଇଁ ମହାରାଷ୍ଟ୍ର ସରକାର ତଦନ୍ତ ଆଦେଶ ମଧ୍ୟ ଦେଇଥିଲେ। ତେବେ ଏହା ପଛରେ ଚୀନର ହାତ ରହିଥିବା ନେଇ ରିପୋର୍ଟ ଏବେ ପଦାକୁ ଆସିଛି। ଚୀନର ଏକ ହ୍ୟାକର ଗୋଷ୍ଠୀ ପକ୍ଷରୁ ଏପ୍ରକାର ଷଡ଼୍‌ଯନ୍ତ୍ର କରାଯାଇଥିଲା।

ଲଦାଖରେ ଗତବର୍ଷ ଜୁନରେ ଯେତେବେଳେ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ଥିଲେ ଏବଂ ଗଲୱାନ ଘାଟି ସଂଘ‌ର୍ଷରେ ଭାରତର ୨୦ ଜଣ ବୀର ଯବାନ ସହିଦ ହୋଇଥିଲେ ସେହି ସମୟରେ ଚୀନର ହ୍ୟାକରମାନେ ଭାରତ ବିରୋଧରେ ମାଲଓୟାର ଆକ୍ରମଣ ଷଡ଼୍‌ଯନ୍ତ୍ର ରଚିଥିଲେ। ଆମ ଦେଶର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ପରିଚାଳନା କରୁଥିବା ସଂସ୍ଥାକୁ ମାଲଓୟାର ସେମାନେ ପଠାଉଥିଲେ। ତେବେ କେନ୍ଦ୍ର ଶକ୍ତିମନ୍ତ୍ରାଳୟ ଭାରତର ପାୱାର ନେଟୱାର୍କକୁ ଟାର୍ଗେଟ କରି ଚୀନ ମାଲ୍‌ଓୟାର ଛାଡ଼ିବା ନେଇ ସଚେତନ ରହିଛି। ଏଥିପାଇଁ ତୁରନ୍ତ ପଦକ୍ଷେପ ମଧ୍ୟ ନିଆଯାଇଛି। ତେଣୁ ଆମର କୌଣସି କ୍ଷତି ହୋଇନାହିଁ। ତଥ୍ୟ ଚୋରି କିମ୍ବା ଉଲ୍ଲଂଘନ ଭଳି ଘଟଣା ମଧ୍ୟ ହୋଇନାହିଁ ବୋଲି କହିଥିଲେ ମଧ୍ୟ ମୁମ୍ବାଇର ବିଜୁଳି ବିଭ୍ରାଟ ସଂପର୍କରେ ନିରବ ରହିଛି।

ଚୀନ୍‌ର ରେଡ୍‌ଇକୋ ନାମକ ସଂସ୍ଥା ପକ୍ଷରୁ ଭାରତର ପାୱାର ପ୍ଲାଣ୍ଟ ଗୁଡ଼ିକରେ ମାଲଓୟାର ଛଡ଼ାଯାଇଥାଇପାରେ ବୋଲି ଆମେରିକୀୟ କମ୍ପାନି ରେକର୍ଡେଡ ଫ୍ୟୁଚରର ଅନୁଧ୍ୟାନକୁ ଉଦ୍ଧାର କରି ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି। କେବଳ ସେତିକି ନୁହେଁ ଭାରତର ଅନେକ ସମ୍ବେଦନଶୀଳ ଏବଂ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଉପରେ ଚୀନର ହ୍ୟାକରମାନେ ଅତ୍ୟାଧୁନିକ ମାଧ୍ୟମରେ ହ୍ୟାକ୍‌ କରି ଆକ୍ରମଣ ରଚାଇ ପାରନ୍ତି ବୋଲି ମଧ୍ୟ ସତର୍କ କରାଇ ଦିଆଯାଇଛି। ଅନଲାଇନ୍‌ ଡିଜିଟାଲ ବିପଦ ଗୁଡ଼ିକର ବିଶ୍ଳେଷଣ କରୁଥିବା ଆମେରିକାର ଏହି କମ୍ପାନି ପକ୍ଷରୁ ଚୀନ ଦ୍ବାରା ଛଡ଼ାଯାଇଥିବା ମାଲଓୟାର ବିଷୟରେ ଉଲ୍ଲେଖ କରାଯାଇଛି।

ଚୀନ୍‌ ହ୍ୟାକର୍‌ଙ୍କ ଟାର୍ଗେଟ୍‌ରେ ସିରମ୍‌, ଭାରତ ବାୟୋଟେକ୍‌
ନୂଆଦିଲ୍ଲୀ: ଭାରତର ୨ଟି ଟିକା ନିର୍ମାଣକାରୀ ସଂସ୍ଥାର ଆଇଟି ସିଷ୍ଟମ୍‌କୁ ଚୀନ୍‌ ହ୍ୟାକର୍‌ମାନେ ଟାର୍ଗେଟ୍‌ କରିଛନ୍ତି। ସାଇବର୍‌ ଇଣ୍ଟେଲିଜେନ୍ସ ଫାର୍ମ‌୍ ସିଫାର୍ମା ପକ୍ଷରୁ ଏହି ସୂଚନା ମିଳିଛି। ଉଭୟ ଚୀନ୍‌ ଏବଂ ଭାରତ ବିଶ୍ବରେ ଅନେକ ରାଷ୍ଟ୍ରକୁ କୋଭିଡ୍‌ ଟିକା ବିକିଛନ୍ତି। ବିଶ୍ବରେ ବିକ୍ରି ହୋଇଥିବା ଟିକାର ୬୦ ପ୍ରତିଶତ କେବଳ ଭାରତ ଦ୍ବାରା ପ୍ରସ୍ତୁତ ହୋଇଛି। ସିଙ୍ଗାପୁର୍‌ ଏବଂ ଟୋକିଓରେ ଅବସ୍ଥିତ ସିଫାର୍ମା ପକ୍ଷରୁ କୁହାଯାଇଛି, ଚୀନ୍‌ ହ୍ୟାକିଂ ଗ୍ରୁପ୍‌ ଏପିଟି୧୦ ଭାରତରେ ଟିକା ନିର୍ମାଣକାରୀ ସଂସ୍ଥା ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଏବଂ ଭାରତ ବା‌ୟୋଟେକ୍‌କୁ ଟାର୍ଗେଟ୍‌ କରିଛି। ସିଫାର୍ମା ମୁଖ୍ୟ କାର୍ଯ୍ୟନିର୍ବାହୀ କୁମାର ରିତେଶ କହିଛନ୍ତି, ଏପିଟି୧୦ ସକ୍ରିୟ ଭାବେ ସିରମ୍‌ ଇନଷ୍ଟିଚ୍ୟୁଟ୍‌କୁ ଟାର୍ଗେଟ୍‌ କରିଛି। ତେବେ ସିରମ୍‌ ଏବଂ ଭାରତ ବାୟୋ‌ଟେକ୍‌ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ବିଦ୍ୟୁତ୍ ଭିତ୍ତିଭୂମି ପରେ ଏବେ ଟିକା କମ୍ପାନିଙ୍କୁ ଚୀନ ହ୍ୟାକରଙ୍କ ଟାର୍ଗେଟ ଚିନ୍ତା ବଢ଼ାଇଛି।

ସମ୍ବନ୍ଧିତ ଖବର