ଭୁଟାନ ଅଞ୍ଚଳରେ ଜମି ଜବରଦଖଲ କରି ବର୍ଷକରେ ୪ଟି ଗ୍ରାମ ସ୍ଥାପନ କରିଛି ଚୀନ୍‌

ନୂଆଦିଲ୍ଲୀ: ଗତ ବର୍ଷକ ମଧ୍ୟରେ ଚୀନ୍‌ ଭୁଟାନୀୟ ଅଞ୍ଚଳରେ ଜମି ଜବରଦଖଲ କରି ସେଠାରେ ୪ଟି ଗ୍ରାମ ସ୍ଥାପନ କରିଥିବା କଥା ଚୀନ୍‌ର ସାମରିକ ଅଗ୍ରଗତି ଉପରେ ନଜର ରଖିଥିବା ଅଗ୍ରଣୀ ‘ସାଟେଲାଇଟ୍‌ ଇମେଜେରି ଏକ୍ସପର୍ଟ’ ‘ଡିଟ୍ରେସ୍ଫା’ ଟୁଇଟ୍‌ କରିଥିବା ନୂଆ ‘ଉପଗ୍ରହ ଉତ୍ତୋଳିତ ଛବି’ରୁ (ସାଟେଲାଇଟ୍‌ ଇମେଜ୍‌) ଜଣାପଡ଼ିଛି।

‘ଦି ଇନ୍‌ଟେଲ୍‌ ଲ୍ୟାବ୍‌’ ସହ ମିଶି ‘ଡିଟ୍ରେସ୍ଫା’ ‘ଜିଓପଲିଟିକାଲ୍‌’ ବିଶେଷଜ୍ଞମାନଙ୍କ ଦ୍ବାରା ଉପରୋକ୍ତ ଛବିଗୁଡ଼ିକୁ ବିଶ୍ଳେଷଣ କରିଛି। ୨୦୨୦ ମେ ରୁ ୨୦୨୧ ନଭେମ୍ବର ମଧ୍ୟରେ ଉକ୍ତ ଗ୍ରାମଗୁଡ଼ିକ ନିର୍ମାଣ କରାଯାଇଛି।

Image Courtesy of NDTV

ପ୍ରାୟ ୧୦୦ ବର୍ଷ କିଲୋମିଟର ବିସ୍ତୃତ ଅଞ୍ଚଳରେ କେତେଗୁଡ଼ିଏ ନୂଆ ଗ୍ରାମ ଦୃଶ୍ୟମାନ ହେଉଛି। ଗ୍ରାମ ସ୍ଥାପନ କରାଯାଇଥିବା ବିବାଦୀୟ ଜମି ‘ଡୋକ୍‌ଲାମ୍‌ ପ୍ଲେଟ୍ୟୁ’ ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ସୂଚନାଯୋଗ୍ୟ, ୨୦୧୭ରେ ସେହି ଅଞ୍ଚଳ ନିକଟରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ହେବା ସହ ସେମାନଙ୍କ ମଧ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏହା ପରେ ଭାରତୀୟ ପ୍ରତିରକ୍ଷା ବିଭାଗ ସେ ଅଞ୍ଚଳରେ ରାସ୍ତା ନିର୍ମାଣ ଆରମ୍ଭ କରିଥିଲା।

ଭୁଟାନ ଭୂମିରେ ଚୀନ୍‌ର ଗ୍ରାମ ନିର୍ମାଣ ଭାରତକୁ ବିଶେଷ ଚିନ୍ତିତ କରିଛି। ଏହାର କାରଣ ହେଉଛି, ଭୁଟାନ୍‌ର ବୈଦେଶିକ ସମ୍ପର୍କ ନୀତି ସଂକ୍ରାନ୍ତରେ ଅତୀତରୁ ଭାରତ ପରାମର୍ଶ ଦେଇ ଆସୁଛି ଏବଂ ତା’ର ସଶସ୍ତ୍ରବାହିନୀକୁ ତାଲିମ ମଧ୍ୟ ଦେଉଛି। ସୀମା ପୁନଃନିର୍ଦ୍ଧାରଣ ପାଇଁ ଭୁଟାନ ଉପରେ ସଦାସର୍ବଦା ଚୀନ୍‌ ଚାପ ପକାଉଛି।

ସମ୍ବନ୍ଧିତ ଖବର