‘ବେଜିଂ- ନୂଆଦିଲ୍ଲୀ ମିଳିତ ଭାବେ ଏବେ ଯାହା କହିବେ ତାହାକୁ ବିଶ୍ୱ ସମୁଦାୟ ଶୁଣିବ’: ଚୀନ୍‌ ଗଣମାଧ୍ୟମ

ବେଜିଂ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିତୀୟ ଅନୌପଚାରିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ଯୋଗଦେବାକୁ ଆଜିଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରୁଛି ଚୀନ୍‌ ଗଣମାଧ୍ୟମ। ଏହାର ଝଲକ୍‌ ମଧ୍ୟ ଆଜି ଦେଖିବା ପାଇଁ ମିଳିଛି ଚୀନା ଗଣମାଧ୍ୟମ ମାନଙ୍କରେ। ଚୀନ୍‌ର ପ୍ରାୟ ସମସ୍ତ ପ୍ରମୁଖ ଗଣମାଧ୍ୟମ ଏକମତ ହୋଇ ଏକ ସ୍ୱରରେ କହିଛନ୍ତି ଯେ ବେଜିଂ- ନୂଆଦିଲ୍ଲୀ ଏବେ ଏକ ବିରାଟ ଶକ୍ତି ହୋଇ ଉଭା ହେବାକୁ ଯାଉଛନ୍ତି। ଏମାନେ ଯାହା କହିବେ ତାହାକୁ ବିଶ୍ୱ ସମୁଦାୟ ଶୁଣିବ।

Global Times

ଚୀନ୍‌ର ପ୍ରମୁଖ ସମ୍ବାଦପତ୍ର ‘ଗ୍ଲୋବାଲ ଟାଇମସ୍‌’ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଭାରତ ଗସ୍ତର ଅବ୍ୟବହିତ ପୂର୍ବରୁ ଲେଖିଥିବା ଏକ ଅଗ୍ରଲେଖରେ କହିଛି, ‘ଯଦି ବେଜିଂ ଏବଂ ନୂଆଦିଲ୍ଲୀ ମିଳିତ ଭାବେ ଅନ୍ତର୍ଜାତିକ ବା ଆଞ୍ଚଳିକ ପ୍ରସଙ୍ଗ ଉପରେ କିଛି ବି କହିବେ ତାହାକୁ ବିଶ୍ୱ ସମୁଦାୟ ଗୁରୁତ୍ୱ ଦେଇ ଶୁଣିବାକୁ ବାଧ୍ୟ ହେବେ।’ ‘ଦୁଇ ବିକାଶଶୀଳ ରାଷ୍ଟ୍ର ଚୀନ୍‌ ଓ ଭାରତକୁ ଏକାଠି ହୋଇ ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ଅନେକ କିଛି କରିବାକୁ ଅଛି;’ ବୋଲି ନିଜ ଅଗ୍ରଲେଖରେ କହିଛି ଚୀନ୍‌ର ଏହି ପ୍ରମୁଖ ସମ୍ବାଦପତ୍ର।

Zee News

ସେହିପରି ଏହି ଦୁଇରାଷ୍ଟ୍ର ନିକଟରେ ବର୍ଦ୍ଧିତ ଜନସଂଖ୍ୟା ଠାରୁ ଆରମ୍ଭ କରି ବାଣିଜ୍ୟ, ଜଳବାୟୁ ପରିବର୍ତ୍ତନ ଆଦି ଅନେକ ପ୍ରସଙ୍ଗ ଓ ସମସ୍ୟା ରହିଥିବା ବେଳେ ଦୁଇ ରାଷ୍ଟ୍ରନେତା ଅନୌପଚାରିକ ଆଲୋଚନା କାଳରେ ଏହି ସବୁ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେବେ ବୋଲି ଆଶା ପ୍ରକାଶ କରିଛନ୍ତି ଚୀନ୍‌ର ଅନ୍ୟ ବହୁ ଗଣମାଧ୍ୟମ। ଏହି ପରିପ୍ରେକ୍ଷୀରେ ମହାବଲୀପୁରମ୍‌ ଠାରେ ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଥିବା ଅନୌପଚାରିକ ଆଲୋଚନା ଉପରେ ଏବେ ସମଗ୍ର ବିଶ୍ୱର ନିଜର ରହିଥିବା ବେଳେ ଆଲୋଚନାର ନିଷ୍କର୍ଷ ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି ସମଗ୍ର ବିଶ୍ୱ।

ସମ୍ବନ୍ଧିତ ଖବର