ଶ୍ରୀଲଙ୍କା ବନ୍ଦରରେ ଲାଗିଲା ଚୀନ୍‌ ସାମରିକ ଜାହାଜ

କାହିଁକି ଚିନ୍ତା ପ୍ରକଟ କରୁଛି ଭାରତ?

କଲମ୍ବୋ : ଶ୍ରୀଲଙ୍କାରେ ଚୀନ୍‌ ଦ୍ବାରା ନିର୍ମିତ ହମ୍ବନତୋଟା ବନ୍ଦରରେ ଶେଷରେ ଚୀନ୍‌ର ଗବେଷଣା ଜାହାଜ ‘ଉଆନ ୱାଙ୍ଗ ୫’ ପହଞ୍ଚିଛି। ଭାରତର ବିରୋଧ ପାଇଁ ପ୍ରଥମେ ଶ୍ରୀଲଙ୍କା ଚୀନ୍‌ର ଏହି ଜାହାଜକୁ ପ୍ରବେଶ ଅନୁମତି ଦେଇନଥିଲା। କିନ୍ତୁ ଚୀନ୍‌ ଋଣଜାଲରେ ବୁଡ଼ି ରହିଥିବା ଶ୍ରୀଲଙ୍କା ପରବର୍ତ୍ତୀ ସମୟରେ ଚୀନ୍‌ର ଜାହାଜକୁ ଅନୁମତି ଦେଇଥିଲା। ଅଗଷ୍ଟ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଚୀନ୍‌ ଜାହାଜ ଶ୍ରୀଲଙ୍କା ବନ୍ଦରରେ ରହିବ। ଭାରତ ମହାସାଗରରେ ଚୀନ୍‌ର ଏହି ଜାହାଜର ଉପସ୍ଥିତି ପାଇଁ ଉଭୟ ଭାରତ ଏବଂ ଆମେରିକା ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ ଇତି ମଧ୍ୟରେ ଚିନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ୍‌ ୱେନବିନ୍‌ ଉକ୍ତ ବିଷୟରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ‘ଉଆନ ୱାଙ୍ଗ୍‌ ୫’ର ସାମୁଦ୍ରିକ ବୈଜ୍ଞାନିକ ଗବେଷଣା କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ଆଇନ ଆଧାରରେ ହୋଇଛି। ଅନ୍ୟ କୌଣସି ରାଷ୍ଟ୍ରର ସୁରକ୍ଷାକୁ ଏହା ପ୍ରଭାବିତ କରିବ ନାହିଁ ବୋଲି ଚୀନ୍‌ ବିଦେଶ ମନ୍ତ୍ରୀ କହିଛନ୍ତି।

ଭାରତ ଚୀନ୍‌ର ଏହି ଜାହାଜକୁ ନେଇ ଚିନ୍ତା ପ୍ରକଟ କରିବାର ଅନେକ କାରଣ ରହିଛି। ସେଥି ମଧ୍ୟରୁ ପ୍ରମୁଖ କାରଣ ହେଉଛି ଉଆନ ୱାଙ୍ଗ୍‌ ୫ ଜାହାଜ ହାଇଟେକ୍‌ କ୍ଷମତାକୁ ବ୍ୟବହାର କରି ଭାରତୀୟ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଏବଂ ଆକ୍ରମଣ କ୍ଷମତାକୁ ଆକଳନ କରିପାରିବ। ଉଆନ ୱାଙ୍ଗ୍‌ ୫ର ସ୍ବତନ୍ତ୍ର ସାମୁଦ୍ରିକ ସର୍ବେକ୍ଷଣ କେତେକ ବୁଡ଼ା ଜାହାଜକୁ ମଧ୍ୟ ଟ୍ରାକ୍‌ କରିପାରିବ। ଏହି କାରଣ ପାଇଁ ହମ୍ବନତୋଟା ବନ୍ଦରରେ ଏହି ଜାହାଜର ଉପସ୍ଥିତି ପାଇଁ ଭାରତ ଚିନ୍ତା ପ୍ରକଟ କରୁଛି।

ସମ୍ବନ୍ଧିତ ଖବର