ଚୀନ କମ୍ୟୁନିଷ୍ଟ ପାର୍ଟି ନ୍ୟୁଜପୋର୍ଟାଲ ଅରୁଣାଚଳକୁ ଭାରତର ରାଜ୍ୟ ଦର୍ଶାଇଲା, ହଇଚଇ ପରେ ଲେଖା ପ୍ରତ୍ୟାହୃତ

ବେଜିଂ : ଚୀନର ମହାକ୍ଷମତାଶାଳୀ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ନିୟନ୍ତ୍ରିତ ଏକ ନ୍ୟୁଜପୋର୍ଟାଲରେ ଅରୁଣାଚଳକୁ ଭାରତର ଏକ ରାଜ୍ୟଭାବେ ଦର୍ଶାଯିବା ପରେ ଦଳ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ଚୀନ ଅରୁଣାଚଳକୁ ନିଜର ଅଂଚଳ ଦାବି କରୁଥିବାବେଳେ ଏପରି ଲେଖା ଚର୍ଚ୍ଚାର ବିଷୟ ହୋଇଛି । ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ ପରେ ଉକ୍ତ ଖବରକୁ ହଠାତ ପ୍ରତ୍ୟାହାର କରିନିଆଯାଇଛି ।

ସୂଚନାଯୋଗ୍ୟ ଯେ କମ୍ୟୁନିଷ୍ଟ ପାର୍ଟି ନିୟନ୍ତ୍ରିତ ନ୍ୟୁଜପୋର୍ଟାଲ http://en.people.cn/ ରେ ଭାରତର ବରିଷ୍ଠ ଲୋକସଂଖ୍ୟା ବଢୁଥିବା ସଂପର୍କରେ ଏକ ଲେଖା ପ୍ରକାଶ ପାଇଥିଲା । ଏଥିରେ ଲେଖାଥିଲା ଯେ ଭାରତରେ ବୃଦ୍ଧ ଲୋକଙ୍କ ସଂଖ୍ୟା ବଢିଚାଲିଛି । ତେବେ ସବୁଠାରୁ କମ ବରିଷ୍ଠ ଲୋକଥିବା ରାଜ୍ୟ ହେଉଛି ଅରୁଣାଚଳ ପ୍ରଦେଶ । ଏହି ରାଜ୍ୟର ମୋଟ ଜନସଂଖ୍ୟାର ମାତ୍ର ୪.୬ ପ୍ରତିଶତ ୬୦ ବର୍ଷରୁ ଅଧିକ ଅଛନ୍ତି । ଏହି ଲେଖାକୁ ଲେଖିଛନ୍ତି ଜଣେ ଭାରତୀୟ ସାମ୍ବାଦିକ ଯିଏକି ଚୀନ ସରକାରଙ୍କ ଆର୍ଥିକ ପ୍ରେତ୍ସାହନରେ ଚୀନରେ ନିୟୋଜିତ ଅଛନ୍ତି ।

ଚୀନ ସବୁବେଳେ ଅରୁଣାଚଳକୁ ଭାରତର ଅଂଗ ବୋଲି ଅସ୍ୱୀକାର କରିଆସିଛି । ଏପରିକି ଭାରତର କୌଣସି ନେତା ଏହି ରାଜ୍ୟକୁ ଆସିଲେ ଚୀନ ଅସନ୍ତୋଷ ପ୍ରକାଶ କରୁଛି । ତେବେ ଏହି ଘଟଣାକୁ ନେଇ ଭାରତ ସରକାରଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ ।

ସମ୍ବନ୍ଧିତ ଖବର