ଉଇଘର ମୁସଲିମଙ୍କ ଉପରେ ଚୀନ୍‌ର ଅତ୍ୟାଚାର ପୁଣି ସାମ୍ନାକୁ ଆସିଲା

ବେଜିଂ : ଉଇଘର ମୁସଲିମମାନଙ୍କ ଉପରେ ଚୀନ ଅକଥନୀୟ ନିର୍ଯାତନା ଚଳାଇଛି। ଏହାର ଦୃଢ଼ ପ୍ରମାଣ ପୁଣି ଥରେ ମିଳିଛି। ସାମାଜିକ କର୍ମୀ ଗୁଆନ ଗୁଆନ ଏହି ନିର୍ଯାତନାର ପାଖାପାଖି ୨୦ ମିନିଟର ଏକ ଭିଡିଓ ସୁଟିଂ କରିଛନ୍ତି। ସି ଜିନପିଙ୍ଗ୍‌ଙ୍କ ସରକାର ଏମାନଙ୍କୁ କିଭଳି ଯାତନା ଦେବା ଜାରି ରଖିଛନ୍ତି ତହା ଉକ୍ତ ଭିଡିଓରୁ ଜଣାଯାଇଛି। ଉଇଘର ମୁସଲିମାନଙ୍କୁ କୌଣସି ପୀଡ଼ା ଦିଆଯାଉ ନାହିଁ ବୋଲି ଚୀନ ସରକାର କହି ଆସୁଥିଲେ ମଧ୍ୟ ମିଛ ଉକ୍ତ ଭିଡିଓରୁ ଧରାପଡ଼ିଯାଇଛି।

କରୋନା ମହାମାରୀ ପାଇଁ ବିଶ୍ବ ସମୁଦାୟର ରୋଷର ଶିକାର ହୋଇଛି ଚୀନ। ଏଥିସହିତ ଫିଲିପାଇନ୍ସ ଓ ତାଇୱାନ ପ୍ରସଙ୍ଗକୁ ନେଇ ଚୀନ ଅଡ଼ୁଆରେ ପଡ଼ିଛି। ଏବେ ପୁଣି ଜିନ୍‌ଜିଆଙ୍ଗ ପ୍ରଦେଶରେ ଉଇଘର ମୁସଲିମମାନଙ୍କୁ ଖରାପ ବ୍ୟବହାର ପାଇଁ ଜିନପିଙ୍ଗ୍ ସରକାର ଚର୍ଚ୍ଚାକୁ ଆସିଛନ୍ତି। ଉଇଘର ମୁସଲିମମାନଙ୍କୁ କଡ଼ା କଟକଣା ଭିତରେ ରଖାଯିବା ସହିତ ସେମାନଙ୍କୁ ଧମକ ଦିଆଯାଉଛି ଓ ହଇରାଣ କରାଯାଉଛି। ଉକ୍ତ ଭିଡିଓକୁ ଗତମାସରେ ୟୁଟ୍ୟୁବରେ ଅପ୍‌ଲୋଡ୍‌ କରାଯାଇଛି। ଚୀନ ସରକାରଙ୍କ କଟକଣା ଯୋଗୁଁ ଜିନଜିଙ୍ଗ୍ ପ୍ରଦେଶକୁ ବିଦେଶୀ ସାମ୍ବାଦିକମାନେ ପ୍ରାୟତଃ ଆସିପାରୁନାହାନ୍ତି। ଭିଡିଓର ପ୍ରାରମ୍ଭରେ କୁହାଯାଇଛି ଜିନଜିଙ୍ଗ୍ ପ୍ରଦେଶରେ ଚୀନ ସରକାର ଅଟକ କେନ୍ଦ୍ର ନିର୍ମାଣ କରିଛନ୍ତି। ଏଠାରେ ସ୍ଥାନୀୟ ଅଂଚଳର ସଂଖ୍ୟାଲଘୁ ଏବଂ ବିଦ୍ରୋହୀମାନଙ୍କୁ ବିନା ବିଚାରରେ ବନ୍ଦୀ କରି ରଖାଯାଇଛି। ଜିନଜିଆଙ୍ଗ୍ ଗସ୍ତ ସମୟରେ ସାମାଜିକ କର୍ମୀ ଗୁଆନ ମୋଟ ୮ଟି ସହର ବୁଲିବା ସହିତ ଏପ୍ରକାରର ୧୮ଟି ଅଟକ କେନ୍ଦ୍ର ଠାବ କରିଛନ୍ତି। ‌‌

ତେବେ ଉଇଘର ମୁସଲିମମାନଙ୍କ ବିରୋଧରେ କୌଣସି ବେଆଇନ କାର୍ଯ୍ୟ ହେଉନାହିଁ ଏବଂ ଏହି କ୍ୟାମ୍ପଗୁଡ଼ିକୁ ଚୀନ ସରକାର ପୁନଃ ଶିକ୍ଷା କେନ୍ଦ୍ର ବୋଲି କହୁଛନ୍ତି। ମୁସଲିମ ଆତଙ୍କବାଦୀ ବିରୋଧରେ ଲଢ଼େଇ କରିବା ପାଇଁ ଏହି କେନ୍ଦ୍ରଗୁଡ଼ିକ ସ୍ଥାପନ ହୋଇଛି ବୋଲି ଚୀନ ସରକାର ଦାବି କରୁଛନ୍ତି। କିନ୍ତୁ ଅନେକ ମାନବ ଅଧିକାର ଗୋଷ୍ଠୀ ଦାବି କରୁଛନ୍ତି ଯେ ଚୀନ ଉଇଘର ମୁସଲିମମାନଙ୍କୁ ବଡ଼ ବଡ଼ ଅଟକ କେନ୍ଦ୍ରକୁ ପଠାଉଛି। ସେମାନଙ୍କ ଧାର୍ମିକ ବ୍ୟାପାରରେ ହସ୍ତକ୍ଷେପ କରାଯାଉଛି। ଚଳିତବର୍ଷ ପ୍ରଥମ ଦେଶଭାବେ ଯୁକ୍ତରାଷ୍ଟ୍ର ଆମେରିକା ଜିନଜିଆଙ୍ଗଠାରେ ଚୀନର କାର୍ଯ୍ୟକୁ ନରସଂହାର ବୋଲି ଘୋଷଣା କରିଛି।

ସମ୍ବନ୍ଧିତ ଖବର