ବ୍ୟାଙ୍ଗ୍‌କକ୍‌: ଚୀନ୍‌ରୁ ଦୀର୍ଘକାଳୀନସୂତ୍ରରେ ଉଧାର ବା ଋଣ ନିଆଯାଇଥିବା ଗୋଟାଏ ପାଣ୍ଡା ଭାଲୁ ଥାଇଲାଣ୍ଡ୍‌ର ଉତ୍ତରାଞ୍ଚଳରେ ଥିବା ‘ଚିଆଙ୍ଗ୍‌ ମାଇ ଚିଡ଼ିଆଖାନା’ରେ ବୁଧବାର ଦିନ ମୃତ୍ୟୁବରଣ କରିଥିବା କଥା ଚିଡ଼ିଆଖାନା ଜଣେ ଅଧିକାରୀ କହିଛନ୍ତି।

Advertisment

ଉଧାରସୂତ୍ରରେ ଆସିଥିବା ‘ଲିନ୍‌ ହୁଇ’ ନାମକ ଉକ୍ତ ମାଈ ପାଣ୍ଡା ଭାଲୁଟିକୁ ଆଉ ୬ ମାସ ପରେ ଚୀନ୍‌କୁ ଫେରସ୍ତ କରାଯାଇଥାଆନ୍ତା।

ଚିଡ଼ିଆଖାନାରେ ନିର୍ଦେଶକ ୟୁତ୍ତିହିଚାଇ ମୁଆଙ୍ଗମୁନ୍‌ କହିଛନ୍ତି, ‘ଲିନ୍‌ ହୁଇ’ର ମୃତ୍ୟୁର କାରଣ ହଠାତ୍‌ ଜଣାପଡ଼ିନାହିଁ। କିନ୍ତୁ, ସେ ଅସୁସ୍ଥ ହୋଇପଡ଼ିଥିବା କଥା ମଙ୍ଗଳବାର ସକାଳେ ଜଣାପଡ଼ିଥିଲା। ଖାଇ ସାରି ବିଶ୍ରାମ ନେଉଥିବା ବେଳେ ତା’ ନାକରୁ ରକ୍ତସ୍ରାବ ହୋଇଥିଲା।

ତୁରନ୍ତ ତା’କୁ ଥାଇ-ଚୀନା ପ୍ରାଣୀ ଚିକିତ୍ସକ ଟିମ୍‌କୁ ହସ୍ତାନ୍ତର କରାଯାଇଥିଲା କିନ୍ତୁ, ତା’ର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଲା ଓ ବୁଧବାର ପ୍ରତ୍ୟୁଷରେ ତା’ର ମୃତ୍ୟୁ ହୋଇଗଲା ବୋଲି ସେ କହିଛନ୍ତି।

publive-image Image Courtesy of Fox 7 Austin

ସାମ୍ବାଦିକମାନଙ୍କୁ ପ୍ରାଣୀ ଚିକିତ୍ସକ ତେୱାରାତ୍‌ ଭେଜ୍‌ମାନାତ୍‌ କହିଛନ୍ତି, ପରିଣତ ବୟସ ୨୧ ବ‌ର୍ଷରେ ଉପନୀତ ହୋଇଥିବା ଉକ୍ତ ପାଣ୍ଡା ଭାଲୁର ଦୈନିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିଲା। କିନ୍ତୁ, ଅସୁସ୍ଥ ହୋଇପଡ଼ିବା ଆଗରୁ ତା’ ଦେହରେ କୌଣସି ରୋଗ କି, ତା’ ଆଚରଣରେ କୌଣସି ପରିବର୍ତ୍ତନର ଲକ୍ଷଣ ଦେଖାଯାଇ ନ ଥିଲା।

ପାଣ୍ଡା ‘ଲିନ୍‌ ହୁଇ’ର ମୃତ୍ୟୁରେ ଚୀନ୍‌ ଶୋକାଭୀଭୂତ ହୋଇପଡ଼ିଛି ବୋଲି ବେଜିଙ୍ଗ୍‌ରେ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍‌ ୱେନ୍‌ବିନ୍‌ କହିଛନ୍ତି।

ଚିଡ଼ିଆଖାନାରେ ନିର୍ଦେଶକ ୟୁତ୍ତିହିଚାଇ ମୁଆଙ୍ଗମୁନ୍‌ ସୂଚନା ଦେଇଛନ୍ତି ଯେ, ଚଳିତ ଅକ୍ଟୋବର ମାସରେ ଚୀନ୍‌କୁ ଫେରସ୍ତ ଦେବାକୁ ଥିବା ପାଣ୍ଡା ‘ଲିନ୍‌ ହୁଇ’ ପାଇଁ  ୪୩୫,୦୦୦ ଡଲାର୍‌ ବୀମା କରାଯାଇଥିଲା।

ଏହା ପୂର୍ବରୁ ୨୦୧୯ରେ ‘ଲିନ୍‌ ହୁଇ’ର ପୁରୁଷ ସାଥି ପାଣ୍ଡା ଭାଲୁ ‘ଚୁଆଙ୍ଗ୍‌ ଚୁଆଙ୍ଗ୍‌’ର ମୃତ୍ୟୁ ଘଟିଥିଲା। ସେତେବେଳେ ଥାଇଲାଣ୍ଡ୍‌ର ତତ୍‌କାଳୀନ ପରିବେଶ ମନ୍ତ୍ରୀ ବାରାୟୁତ୍‌ ସିପ୍ଲା-ଆର୍କା କହିଥିଲେ ଯେ, କ୍ଷତିପୂରଣ ବାବଦକୁ ତାଙ୍କ ଦେଶକୁ ଚୀନ୍‌ ସରକାରଙ୍କୁ ୫୦୦,୦୦୦ ଡଲାର୍‌ ଦେବାକୁ ପଡ଼ିବ। ହୃଦ୍‌ଘାତ ଯୋଗୁଁ ‘ଚୁଆଙ୍ଗ୍‌ ଚୁଆଙ୍ଗ୍‌’ର ମୃତ୍ୟୁ ଘଟିଥିଲା ବୋଲି ପରେ ରିପୋର୍ଟ ମିଳିଥିଲା।