ସୀମାରେ ପାଟ୍ରୋଲିଂ ବଢ଼ାଉଛି ଚୀନ, ମୁକାବିଲା ଲାଗି ସେନା ପ୍ରସ୍ତୁତ : ଆର୍ମି କମାଣ୍ଡର

ନୂଆଦିଲ୍ଲୀ: ସୁଧୁରୁନି ଚୀନ। ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ୧୮ମାସ ଧରି ବିବାଦ ଚାଲି ଆସୁଥିବା ବେଳେ ଏହାର ସମାଧାନ ପାଇଁ ଅନେକ କମାଣ୍ଡରସ୍ତରୀୟ ବୈଠକ ବସି ସାରିଲାଣି। ଦୁଇ ଦେଶ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର କରିବା ନେଇ ରାଜି ହୋଇଥିଲେ ବି ଚୀନ ସୀମାରେ ପାଟ୍ରୋଲିଂ ବଢ଼ାଇଥିବା ଜଣାପଡ଼ିଛି। ଏ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ।

ସେ କହିଛନ୍ତି ଯେ, ଚୀନ ସୀମାରେ ପାଟ୍ରୋଲିଂ ବଢ଼ାଇବା ସହ ସଶସ୍ତ୍ର ବାହିନୀ ସହ ଜଡ଼ିତ ଲୋକଙ୍କୁ ଠୁଳ କରୁଛି। ଚଳିତ ବର୍ଷ ଚୀନର ଏଭଳି କାର୍ଯ୍ୟକଳାପରେ ବୃଦ୍ଧି ଘଟିଥିବା ବେଳେ କ୍ରମେ ଏହା ବଢ଼ିବାରେ ଲାଗିଛି। ତେବେ କେତେକ କ୍ଷେତ୍ରରେ ଚୀନ ସେନାର ପାଟ୍ରୋଲିଂରେ ସାମାନ୍ୟ ବୃଦ୍ଧି ଘଟିଥିଲେ ବିି ପାଟ୍ରୋଲିଂ ଢ଼ାଞ୍ଚାରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ଗତ ଦେଢ଼ ବର୍ଷ ହେଲା ଏଭଳି କାର୍ଯ୍ୟକଳାପ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି। ଚୀନର କାର୍ଯ୍ୟକଳାପକୁ ଦେଖି ପୂର୍ବାଞ୍ଚଳ କମାଣ୍ଡ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ସାମର୍ଥ୍ୟକୁ ବଢ଼ାଇଛି ବୋଲି କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେ।

IndiaTV News

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୧ରେ ଲଦାଖରେ ଉତ୍ତେଜନା ହ୍ରାସ କରିବା ପାଇଁ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ସେନା କମାଣ୍ଡର-ସ୍ତରୀୟ ଆଲୋଚନା ବିଫଳ ହୋଇଥିଲା। ଚୀନ୍‌ର ପକ୍ଷ ଗ୍ରହଣୀୟ ନ ଥିଲା ବୋଲି ଭାରତୀୟ ସେନା କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ। ଏହି ବୈଠକରେ ଭାରତୀୟ ପକ୍ଷ ସମାଧାନ ପାଇଁ ଗଠନମୂଳକ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ପ୍ରସ୍ତାବକୁ ଚୀନ୍ ଗ୍ରହଣ ନ କରିବା ସହ  କୌଣସି ସମାଧାନମୂଳକ ପ୍ରସ୍ତାବ ନଦେବାରୁ ବୈଠକ ବିଫଳ ହୋଇଥିଲା।

ସମ୍ବନ୍ଧିତ ଖବର