ଉଇଘର୍ ମୁସଲମାନଙ୍କୁ ଚୀନ୍‌ର ନିର୍ଯାତନା

୨ ଶହରୁ ଅଧିକ ନୂଆ ଜେଲ୍‌, ଅଟକ ଶିବିର ନିର୍ମାଣ

ଚାଇନା : ଉଇଘର ମୁସଲମାନଙ୍କ ପ୍ରତି ଚୀନ୍‌ର ଅତ୍ୟାଚାର ଚରମ ସୀମାରେ ପହଂଚିଛି। ଚୀନ୍‌ ଏବେ ଉଇଘର ମୁସଲମାନଙ୍କୁ ଅଧିକ ସଂଖ୍ୟାରେ ଅଟକ ରଖିବାକୁ ସିନ୍‌ଜିଆଙ୍ଗ୍‌ର ପାର୍ବତ୍ୟ ଅଞ୍ଚଳରେ ୨୦୦ ଗୁପ୍ତ ବନ୍ଦୀ ଗୃହ ଏବଂ ଶିବିର ନିର୍ମାଣ କରିଛି। ଏହି ଜେଲ୍‌ ଏବଂ ଅଟକ ଶିବିରଗୁଡ଼ିକରେ ଏକାବେଳେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ରଖାଯାଇ ପାରିବ। ଦବାନଚେଙ୍ଗ୍‌ରେ ସବୁଠାରୁ ବଡ଼ ଜେଲ୍‌ ନିର୍ମାଣ ହୋଇଛି ଏବଂ ଏହାର ୨୪୦ଟି ସେଲ୍‌ରେ ୧୦ ହଜାର ଲୋକଙ୍କୁ ରଖାଯିବା ବ୍ୟବସ୍ଥା କରାଯାଇଛି । ଜିଙ୍ଗଜିଆଙ୍ଗରେ ଏବେ ୧୦ ଲକ୍ଷ ୧୪ ହଜାର କଏଦୀଙ୍କୁ ରଖିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏହାର ସଂପୂର୍ଣ୍ଣ ଦାୟିତ୍ବ ସେନାକୁ ଦିଆଯାଇଛି ।

ଉଇଘର ମୁସ୍‌ଲିମମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଏବଂ ସେମାନଙ୍କ କଠୋର ଆଭିମୁଖ୍ୟକୁ ବଦଳାଇବା ପାଇଁ ଏଭଳି କରାଯାଉଥିବା ଚୀନ୍‌ ସଫେଇ ଦେଉଥିବା ବେଳେ ଅନ୍ତର୍ଜାତୀୟସ୍ତରରେ ଏହାକୁ ନେଇ ବଡ଼ ବିବାଦ ଲାଗି ରହିଛି। ଉଇଘର ମୁସ୍‌ଲିମଙ୍କ ମାନବାଧିକାର ଉଲ୍ଲଂଘନ ନେଇ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଉଦ୍‌ବେଗକୁ ଚୀନ୍‌ ଆଦୌ ଗୁରୁତ୍ବ ଦେଉନାହିଁ।

ଉଇଘର ମୁସ୍‌ଲିମମାନଙ୍କ ବଳପୂର୍ବକ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯିବା ସହ ସେମାନଙ୍କୁ ପରିବାର ଠାରୁ ଅଲଗା କରି ରଖାଯାଉଥିବା ଅଭିଯୋଗ ହୋଇଛି। ତେବେ ବେଜିଂ ଏହାକୁ ସମ୍ପୂର୍ଣ ଭାବେ ପ୍ରତ୍ୟାଖାନ କରିବା ସହ ଚୀନ୍‌ ଯୋଜନାବଦ୍ଧ ଭାବେ ଉଇଘର ମୁସ୍‌ଲିମଙ୍କ ବିକାଶ ପାଇଁ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ ଜାରି ରଖିଛି ବୋଲି କହିଛି। ଯେଉଁ ପ୍ରତିଷ୍ଠାନଗୁଡ଼ିକୁ ଜେଲ୍‌ ଏବଂ ଅଟକକେନ୍ଦ୍ର କୁହାଯାଉଛି ତାହା ତାହା ସେମାନଙ୍କ ପାଇଁ ବିଦ୍ୟାଳୟ, ଡାକ୍ତରଖାନା ଏବଂ ତାଲିମ କେନ୍ଦ୍ର ବୋଲି ବେଜିଂ ପ୍ରଶାସନ କହିଛି । ଅନ୍ୟପଟେ ସିନ୍‌ଜିଆଙ୍ଗ୍‌ ଅଞ୍ଚଳରେ ଚୀନ୍‌ ସେନା ୫ ଲକ୍ଷରୁ ଅଧିକ ଉଇଘର ମୁସ୍‌ଲିମଙ୍କୁ ଅଟକ ରଖି ନିର୍ଯାତନା ଦେଉଛି ବୋଲି ଅଭିଯୋଗ ହୋଇଛି। ଗତ ତିନିବର୍ଷ ମଧ୍ୟରେ କେତେ ମୁସ୍‌ଲିମ ବନ୍ଦୀ ହୋଇଥିଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରତ୍ୟେକ ନୂତନ କେନ୍ଦ୍ର ସ୍ଥାପନ ସହିତ ଏହି ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଶ୍ୱାସ କରାଯାଉଛି।

ପ୍ରାଚୀନ କୋରଲା ବାହାରେ ଥିବା ଏକ ଛୋଟ ଗାଁର ଜଣେ ବ୍ୟବସାୟୀ ଆଇସା ଇମିନଙ୍କୁ ପୋଲିସ ଗିରଫ କରି ୨୦୧୫ ରେ ଗୋଟିଏ କେନ୍ଦ୍ରକୁ ନେଇ ଯାଇଥିଲା ଏବଂ ମୁକ୍ତ ହେବା ପରେ ତାଙ୍କୁ ପୁନର୍ବାର ୨୦୧୭ରେ ଆଉ ଏକ ଅଟକ କେନ୍ଦ୍ରରେ ରଖାଯାଇଥିଲା। ନିକଟରେ ସେ ଅଟକ କେନ୍ଦ୍ରରୁ ବାହାରିବା ପରେ କିହିଥିଲେ ଯେ କଏଦୀମାନଙ୍କୁ ବାଧ୍ୟ କରାଯାଇ ‘ଉଇଦାଉଟ୍ ଦ କମ୍ୟୁନିଷ୍ଟ ପାର୍ଟି ଦେୟାର ଇଜ୍ ନୋ ନିଉ ଚାଇନା’ ଭଳି ସଂଗୀତ ଗାଇବାକୁ କୁହାଯାଏ। ସେ କହିଥିଲେ, ସେ ତୁର୍କୀରେ ଥିବା ସହକର୍ମୀମାନଙ୍କ ଉପରେ ଗୁପ୍ତଚର ବୃତ୍ତି କରିବାକୁ ରାଜି ହେବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର