ବେଜିଂ : ବେଜିଂରେ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସର ଉଦ୍ଘାଟନୀ ଏବଂ ଉଦ୍ଯାପନୀ ସମାରୋହରେ ଭାରତର ରାଷ୍ଟ୍ରଦୂତ ଯୋଗ ଦେବେନାହିଁ। ଭାରତ ବିରୋଧରେ ଗଲୱାନ୍ ଉପତ୍ୟକା ସଂଘର୍ଷରେ ସଂପୃକ୍ତ ଥିବା ଜଣେ ପିଏଲ୍ଏ ସୈନିକଙ୍କୁ ଅଲିମ୍ପିକ୍ସ ମଶାଲ ବାହକ ଭାବେ ଚୀନ ରଖିଥିବାରୁ ଏହାର ପ୍ରତିବାଦ କରି ଭାରତ ଏହି ନିଷ୍ପତ୍ତି ନେଇଛି। ଚୀନ୍ ଅଲିମ୍ପିକ୍ସ ପରି ଏକ ବିଶାଳ କାର୍ଯ୍ୟକ୍ରମର ରାଜନୀତିକରଣ କରୁଥିବାରୁ ଦୂରଦର୍ଶନ ମଧ୍ୟ ଏହାର ପ୍ରସାରଣ କରିବ ନାହିଁ। ଭାରତକୁ ଅପଦସ୍ଥ କରିବା ଲାଗି ଚୀନ ଏପରି ଷଡ଼ଯନ୍ତ୍ର କରୁଥିବା କୁହାଯାଉଛି।
ସୂଚନାଯୋଗ୍ୟ ଯେ ୧୫ ଜୁନ୍ ୨୦୨୦ରେ ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତ ୨୦ ଯବାନଙ୍କୁ ହରାଇଥିଲା। ଗଲୱାନ ଷଡ଼ଯନ୍ତ୍ର ଓ ଆକ୍ରମଣରେ ସାମିଲ ଥିବା ପିପୁଲ୍ସ ଲିବରେସନ୍ ଆର୍ମିର ଜଣେ ରେଜିମେଣ୍ଟ କମାଣ୍ଡରଙ୍କୁ ବେଜିଂ ଶୀତକାଳୀନ ଅଲିମ୍ପିକ୍ସର ମଶାଲ ବାହକ ଭାବରେ ମନୋନୀତ କରାଯିବା ସଂପର୍କରେ ଖବର ମିଳିଛି। ଏହାକୁ ନେଇ ଭାରତୀୟ ବୈଦେଶିକ ବିଭାଗର ମୁଖପାତ୍ର ଅରିନ୍ଦମ ବାଗଚି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସରେ ଭଳି କ୍ରୀଡ଼ାରେ ଚୀନ ରାଜନୀତି ପୂରାଉଥିବାରୁ ସେ ଏହାର ତୀବ୍ର ସମାଲୋଚନା କରିଛନ୍ତି।
ଗତ ବର୍ଷ ଫେବୃଆରିରେ ଚୀନ୍ ଆନୁଷ୍ଠାନିକ ଭାବେ ସ୍ୱୀକାର କରିଥିଲା ଗଲୱାନ ସଂଘର୍ଷରେ ଏହାର ପାଞ୍ଚଜଣ ନିହତ ହୋଇଛନ୍ତି କିନ୍ତୁ ବାସ୍ତବରେ ଏହି ସଂଖ୍ୟା ପ୍ରାୟ ୪୦ ହେବ ବୋଲି ପରେ ଜଣାପଡ଼ିଥିଲା। ନିକଟରେ ଅରୁଣାଚଳରୁ ଅପହରଣ ହୋଇଥିବା ଯୁବକଙ୍କୁ ନିର୍ଯାତନା ଦେବା ପ୍ରସଙ୍ଗରେ ମଧ୍ୟ ଭାରତ ପିଏଲ୍ଏଠାରୁ ସ୍ପଷ୍ଟୀକରଣ ଚାହିଛି ।